ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଗଙ୍ଗାସାଗର–ଗଏଲପିଟା ରାସ୍ତାର କିଛି ଦୂରରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ଗଙ୍ଗାସାଗର ଗାଁର ରାହୁଲ ଧରୁଆ ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆଣାଯାଇଛି । ପରିବାର ଲୋକଙ୍କ କହିବାନୁସାରେ, ୩ ଜଣ ଯୁବକ ରାହୁଲକୁ ଘରୁ ଡାକି ନେଇ ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ପରେ ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଗଛରେ ଝୁଲାଇ ଦିଆଯାଇଥିଲା । ପରିବାର ଲୋକେ ରାହୁଲକୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ଗୁରୁତ୍ୱକୁ ଦେଖି ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ତଥାପି, ଏପରି ଗୁରୁତର ଘଟଣା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଓ ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନ ନ ହେବା ପୋଲିସର ଭୂମିକାକୁ ପ୍ରଶ୍ନର ମୁହଁରେ ଠିଆ କରିଛି । ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ଓ ଏହି ଘଟଣାର ସଠିକ୍ ତଦନ୍ତ କରି ନ୍ୟାୟ ଦିଆଯାଉ ବୋଲି ଜନସାଧାରଣ ଦାବି କରୁଛନ୍ତି ।
Next Post