ଖପ୍ରାଖୋଲ (ଅଶୋକ କୁମାର ବାଗ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଫରେଷ୍ଟ ରେଞ୍ଜ ଅଧୀନ ବେନ୍ଦେର ସଂରକ୍ଷିତ ଜଙ୍ଗଲରେ ଏକ ଛୋଟ ହାତୀ ଛୁଆ ସହିତ ପ୍ରାୟ ୩୨ଟି ହାତୀଙ୍କ ଏକ ବଡ଼ ପଲ ଆଗମନ କରିଥିବା ଜଣାପଡ଼ିଛି। ଏହାରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଭୟର ପରିବେଶ ସୃଷ୍ଟି ହୋଇଛି । ହାତୀ ପଲ ନିକଟସ୍ଥ ଗ୍ରାମ ଓ ଜଙ୍ଗଲ ଅଞ୍ଚଳରେ ଘୁରିବାରୁ ନିଛାଟିଆ ଓ ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଲାଠୋର ବନ ବିଭାଗ ସହ ଖପ୍ରାଖୋଲ ବନ ବିଭାଗର କର୍ମଚାରୀମାନେ ସଜାଗ ରହି ନିରନ୍ତର ହାତୀମାନଙ୍କ ଉପରେ ନଜର ରଖିଛନ୍ତି । ବନ କର୍ମଚାରୀମାନେ ଗ୍ରାମବାସୀଙ୍କୁ ରାତିରେ ଜଙ୍ଗଲ କିମ୍ବା ଖେତକୁ ନଯିବାକୁ , ଏକାକୀ ଚଳାଚଳ ନକରିବା ଏବଂ ହାତୀ ପଲକୁ ଦେଖିଲେ ବନ ବିଭାଗକୁ ସୂଚନା ଦେବା ପାଇଁ ସତର୍କ କରୁଛନ୍ତି। ଅଞ୍ଚଳବାସୀଙ୍କ ସୁରକ୍ଷା ନିମିତ୍ତେ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରତିରୋଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବନବିଭାଗତରଫରୁ ସୂଚନା ମିଳିଛି ।