
ରାୟଗଡ଼ା : ଗଞ୍ଜେଇ ଚାଷର ହବ୍ ପାଲଟିଛି ରାୟଗଡ଼ା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହଶହ ଏକର ଜମିରେ ଗଞ୍ଜେଇ ଚାଷ କରାଯାଉଛି । ବିଶେଷ କରି ସରକାରୀ ଜମିରେ ଖୋଲାଖାଲି ଭାବରେ ଏହି ଚାଷ ହେଉଥିବାର ଦେଖିବାକୁ ମିଳୁଛି । ବିଭିନ୍ନ ଫସଲରୁ ଯେତିକି ରୋଜଗାର ହେଉଛି, ଗଞ୍ଜେଇରେ ତା’ଠାରୁ ୧୦ ଗୁଣ ଅଧିକ ଲାଭ ମିଳୁଛି । ପାହାଡ଼ିଆ ସରକାରୀ ଜମିରେ ଆଖିଦୃଶିଆ ଫସଲ ଅମଳ ହେଉନି । ଏହି କାରଣରୁ ଗ୍ରାମାଞ୍ଚଳର ଅନେକ ଲୋକ ନିଜ ଜମିକୁ କିମ୍ବା ସରକାରୀ ଜମିକୁ ଦଖଲ କରି ଗଞ୍ଜେଇ ଚାଷୀଙ୍କୁ ଲିଜ୍ରେ ଦେଉଛନ୍ତି । ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ହେଉଥିବା ଧରପଗଡ଼ କେବଳ ଲୋକ ଦେଖାଣିଆ ହୋଇଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ଏହା ମଧ୍ୟ ଜଣାପଡିଛି ଯେ, ବିଭିନ୍ନ ମାଲ୍ ବୋଝେଇ ଗାଡ଼ିରେ ଏସବୁ ଅଞ୍ଚଳରୁ ଗଞ୍ଜେଇ ଅଣାଯାଇ ବଡ଼ଗାଡ଼ିରେ ସ୍ଥାନାନ୍ତର କରାଯାଇଛି । କେତେବେଳେ ଟ୍ରକ୍ ଆଉ କେବେ ଟ୍ରେନ୍ ବଗି ସିଟ୍ ତଳେ ବ୍ୟାଗ୍ ଏବଂ ସୁଟ୍କେସ୍ରେ ରଖାଯାଇ ଚତୁରତାର ସହ ଚାଲାଣ କରାଯାଉଛି । କେବଳ ବାହାର ରାଜ୍ୟ ନୁହଁ, ରାଜ୍ୟର ଭିତରେ ବିଭିନ୍ନ ଅଞ୍ଚଳକୁ ମଧ୍ୟ ଗଞ୍ଜେଇ ଚାଲାଣ ହେଉଛି । ଗଞ୍ଜେଇ ମାଫିଆ ଓ ଅବକାରୀ ବିଭାଗ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏହି ବେଆଇନ କାରବାର ବଢ଼ି ଚାଲିଥିବାର ଅଭିଯୋଗ ହେଉଛି । ଯେତିକି ଜମିରେ ଚାଷ ନଷ୍ଟ ହୋଇଥିବା ଅବକାରୀ ବିଭାଗ ଦର୍ଶାଉଛି ତାହାଠାରୁ ଅନେକ ଗୁଣ ଅଧିକ ଜମିରେ ଏହି ଚାଷ ହେଉଛି । ରାୟଗଡ଼ା, ମୁନିଗୁଡ଼ା ରେଳ ଷ୍ଟେସନ୍ରେ ଅନେକ ଟ୍ରେନ୍ରେ ବାରମ୍ବାର ଚଢ଼ଉ କରି ଗଞ୍ଜେଇ ଜବତ କରାଯାଉଛି । ତଥାପି ବନ୍ଦ ହେଉନି ଗଞ୍ଜେଇ ଚାଷ ଏବଂ ଚାଲାଣ । ଏ ସମ୍ପର୍କରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତ କହିଛନ୍ତି, ବିଭାଗ ପକ୍ଷରୁ ଗଞ୍ଜେଇ ଚାଷ ରୋକିବା ପାଇଁ ସଚେତନତା କରାଯାଉଛି । ଏବେ ବର୍ଷାଋତୁ ଚାଲିଛି, ଯେଉଁଠି ଚାଷ ହୋଇଛି ସେଠାରେ ଚଢ଼ଉ କରିବା ଅସମ୍ଭବ । ଯେଉଁସବୁ ଜାଗାରେ ଚାଷ ହୋଇଛି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଗଛ ବଢ଼ିବା ପରେ ପୁଲିସ ସହ ମିଳିତ ଭାବେ ଚଢ଼ଉ କରି ଚାଷ ନଷ୍ଟ କରାଯିବ ବୋଲି ସୂଚନା ମିଲିଛି ।