ଟିଟିଲାଗଡ ଶ୍ରୀରାମ ନବମୀ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶ୍ରୀରାମ ନବମୀ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକ କାଢ଼ି ଉପରକୁ ଫାଙ୍କା ଗୁଳି ଚାଳନା କରିଥିବା ଭିଡିଓ ଭାଇରାଲ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଧାକୃଷ୍ଣ ମନ୍ଦିରରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ରାମଭକ୍ତଙ୍କ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମଧ୍ୟ ସାମିଲ ହୋଇଥିଲେ । ତେବେ ଶାସ୍ତ୍ରୀଛକ ଓ ବ୍ୟାଙ୍କଛକ ଠାରେ ଦୁଇଥର ଫାଙ୍କା ଗୁଳି ଚାଳନା କରିଥିଲେ ବୋଲି ଲୋକେ କହୁଛନ୍ତି ତଥା ଗୁଳି ଚାଳନା ପରେ ନିଜ ଅଣ୍ଟାରେ ବନ୍ଧୁକ ରଖିଥିବା ଜଣାପଡିଛି । ତେବେ ବନ୍ଧୁକ ଅସଲି କି ନକଲି ଜଣା ପଡି ନଥିବାବେଳେ ଜନ ଗହଳି ସ୍ଥାନରେ ତଥା ଶୋଭାଯାତ୍ରାରେ ଫାଙ୍କା ଗୁଳି ଚାଳନା ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହିଭଳି ଦିନରେ ଖଣ୍ଡା ବୁଲାଇ ଚର୍ଚ୍ଚିତ ହୋଇଥିଲେ । ଏଥର ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକରୁ ଉପରକୁ ଫାଙ୍କା ଗୁଳି ଚାଳନା କରି ଏବେ ଚର୍ଚ୍ଚାରେ । ତେବେ ବନ୍ଧୁକ ଅସଲି କି ନକଲି ପୋଲିସ ତଦନ୍ତରୁ ଜଣାପଡ଼ିବ ।

Leave A Reply

Your email address will not be published.