ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରକୋପ

  • ବ୍ଲକ ପ୍ରଶାସନ ଦାୟିତ୍ୱ ଦେଇଛନ୍ତି ହେଲେ ଫଳ ଶୂନ
  • କିଛିଦିନ ପରେ ମୌସୁମୀ ଆସିବ କିନ୍ତୁ ଖପ୍ରାଖୋଲ ସଦର ମହକୁମାରେ ପାଣିଛତ୍ର ଗୋଟିଏ ଖୋଲି ପାରିଲାନି ପ୍ରଶାସ

ଖପ୍ରାଖୋଲ, (ଅଶୋକ ବାଗ) : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରକୋପ । ସକାଳ ୮ଟାରୁ ଗ୍ରୀଷ୍ମପ୍ରବାହ ଏତେ ମାତ୍ରାରେ ହେଉଛି ଯେ, ଘର ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି । ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି ହେଲେ ଫଳ ଶୂନ । ଅସହ୍ୟ ହେଲାଣି ରୌଦ୍ର ତାପ । ଅସହ୍ୟ ଖରାରେ ଛତା କିମ୍ବା ଓଦା ଗାମୁଛା ନନେଇ ବାହାରକୁ ବାହାରିବା କଷ୍ଟ ହୋଇପଡୁଛି । ଗତ କିଛି ଦିନ ହେବ ଏପରି ଅବସ୍ଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ଗ୍ରୀଷ୍ମର ପ୍ରକୋପ ଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁ ମଧ୍ୟ ଦୁଇ ଦିନ ତଳେ ଖପ୍ରାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ କିଛିଦିନ ହେଲାଣି ତାପମାତ୍ରା ପ୍ରାୟ ୪୨ ଡିଗ୍ରୀ ରହୁଥିବା ବେଳେ ଆଗକୁ ପାରଦ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସକାଳ ୮ଟାରୁ ସୂର୍ଯ୍ୟର ପ୍ରକୋପ ବଢିବା ସହ ମୁଣ୍ଡ ଫଟା ଖରା ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ମାର୍ଚ୍ଚ ମାସ ଆରମ୍ଭରୁ ଏଠାରେ ଖରାର ପ୍ରକୋପ ଦେଖାଦେଲାଣି । କିନ୍ତୁ ପ୍ରସାଶନ ପକ୍ଷରୁ ଖରା ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ କୌଣସି ଆନୁସାଙ୍ଗିକ ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇ ନାହିଁ ବୋଲି ସାଧାରଣରେ ଅଷନ୍ତୋଷ ପ୍ରକାଶ ପାଇଛି । ଖପ୍ରାଖୋଲ ବସ ଷ୍ଟାଣ୍ଡରେ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ନ ଥିବା ବେଳେ କୌଣସି ସ୍ଥାନରେ ଜଳ ଛତ୍ର ମଧ୍ୟ ଏପର୍ଯ୍ୟନ୍ତ ଖୋଲାଯାଇ ନାହିଁ । ଯାହାଫଳରେ ଯାତ୍ରୀମାନେ ପାଣି ମୁନ୍ଦେ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଗତ କିଛି ବର୍ଷ ହେବ ଖପ୍ରାଖୋଲଠାରେ ତିନୋଟି ଜଳଛତ୍ର ଖୋଲାଯାଉଥିବା ବେଳେ ଏଥର ଜଳଛତ୍ର ନାମରେ ଖପ୍ରାଖୋଲ ବସଷ୍ଟାଣ୍ଡ ଠାରେ ପାଣି ପାଇଁ ଗୋଟିଏ କୁଡ଼ିଆ ତିଆରି କରି ଲୋକଙ୍କୁ ଭୁଆଁ ବୁଲାଉଛି ପ୍ରଶାସନ ବୋଲି ମତ ପ୍ରକାଶ ପାଇଛି । ବସ୍ ରହଣି ସ୍ଥାନରେ ଜଳଛତ୍ର କିମ୍ବା ନଳ କୂପ ନଥିବାରୁ ସାଧାରଣ ଗରିବ ଲୋକେ ପାଣି ବୋତଲ କିଣିବାକୁ ବାଧ୍ୟ ହେଉଛନ୍ତି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପଥଚାରୀମାନେ ଏମିତିକି ବିଭିନ୍ନ ଅଫିସ ଓ ଅନ୍ୟାନ୍ୟ କାମରେ ଆସୁଥିବା ଲୋକେ ମଧ୍ୟ ପାନୀୟ ଜଳ ଟୋପେ ପାଇଁ କଲବଲ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ଗ୍ରୀଷ୍ମ ଋତୁ ଆସିଲେ ରାଜ୍ୟ ସରକାର ତୃଷ୍ଣା ମେଣ୍ଟାଇବା ପାଇଁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଳିଥାନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ୨୧ଟି ପଞ୍ଚାୟତ ମଧ୍ୟରୁ କାଁ ଭାଁ କିଛି ସ୍ଥାନରେ ଜଳଛତ୍ର ଦେଖିବାକୁ ମିଳିଥିବା ବେଳେ ଖପ୍ରାଖୋଲ ସଦରଠାରେ ଆଜି ପର୍ୟ୍ୟନ୍ତ ସରକାରୀ ସ୍ତରରେ ଜଳଛତ୍ର ଖୋଳାଯାଇନଥିବା ଦେଖିବାକୁ ମିଳୁଛି । ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ମୁତାବକ ପଦକ୍ଷେପ ନେବା ପାଇଁ ପ୍ରଶାସନର ଦାୟିତ୍ୱ ରହିଛି । ଏପରିକି ପଞ୍ଚାୟତ କର୍ତ୍ତୃପକ୍ଷ ମଧ୍ୟ ନିଜ ନିଜ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ନିୟମ ରହିଛି ହେଲେ ଏଠାରେ ମାର୍ଚ୍ଚ, ଏପ୍ରିଲ ମାସ ସରି ମେ’ ମାସ ସାରିବାକୁ ହେଲାଣି ତଥାପି ଖପ୍ରାଖୋଲ ସଦର ମହକୁମାଠାରେ ଏ ପର୍ଯ୍ୟନ୍ତ ଜଳଛତ୍ର ଖୋଲାଯାଇ ନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏନେଇ ଖପ୍ରାଖୋଲ ବିଡ଼ିଓଙ୍କୁ ପଚାରିବାରୁ ସେ ଗତକାଲି ଖପ୍ରାଖୋଲ ବସଷ୍ଟାଣ୍ଡରେ ଜଳଛତ୍ରର ବ୍ୟବସ୍ଥା କରିଥିବା ଜଣାଯାଇଛି । ଆଇଏମ୍‌ଡି ଅନୁସାରେ ଏ ବର୍ଷ ମୌସୁମୀ କେରଳକୁ କିଛି ଦିନ ପରେ ଆସିବ ବୋଲି ପୂର୍ବାନୁମାନ କରିଥିବା ବେଳେ ଏହିପରି ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦେଖି ପ୍ରଶାସନ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.