
ଭୁବନେଶ୍ୱର : ଆଜି ବି ଜଳାଇବ ତାତି । ଭୀଷଣ ଖରା ଓ ତାତି ପ୍ରଭାବରେ ଅଧା ଓଡ଼ିଶା ଟକଟକ ହୋଇ ତାତିବ । ସବୁଠୁ ଭୟଙ୍କର ତାତିରେ କଲବଲ ହେବେ ପଶ୍ଚିମ ଓଡ଼ିଶାବାସୀ । ୬ ସହରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବହିବ । ଉପକୂଳ ଓଡ଼ିଶାରେ ବି ତ୍ରାହି ମିଳିବନି । ଭୀଷଣ ଗରମ ଓ ଗୁଳୁଗୁଳିରେ ଆଉଟପାଉଟୁ ହେବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ପୂର୍ବାନୁମାନ କହୁଛି , ରବିବାର ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୁଳରେ ଗ୍ରୀଷ୍ମପ୍ରବାହ ବହିପାରେ । ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର ଓ ଟିଟିଲାଗଡ଼ରେ ତାତି ୪୩ ଡିଗ୍ରୀ ସେଲସିୟସ୍ ଛୁଇଁବ । ଅନୁଗୁଳ, ବୌଦ୍ଧ, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ରହିପାରେ । ଢେଙ୍କାନାଳରେ ୪୧ ଡିଗ୍ରୀ ଓ ବରଗଡ଼, ମାଲକାନଗିରି ଓ ବାରିପଦାରେ ତାତି ୪୦ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସୋମବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ଟିଟିଲାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ରହିପାରେ । ସୁନ୍ଦରଗଡ଼, ବୌଦ୍ଧ, ଭବାନୀପାଟଣା ଓ ଅନୁଗୁଳରେ ତାତି ୪୧ ଡିଗ୍ରୀ ରହିବ ।