ଗ୍ରୀଷ୍ମ ମହୋତ୍ସବ ଆସନ୍ତା ୨୧ ଓ ୨୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଉଦିତନଗର ପଡିଆଠାରେ ଆସନ୍ତା ଏପ୍ରିଲ ମାସ ୨୧ ଓ ୨୨ ତାରିଖ ଦିନ ଗ୍ରୀଷ୍ମ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏନେଇ ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ଏହି ମହୋତ୍ସବର ସଂଯୋଜକ ଭାସ୍କର ଚନ୍ଦ୍ର ମହାପାତ୍ର ଓ ଓଡିଶା ସଂଗୀତ ନାଟକ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ଡଃ ସମର ମୁଦାଲି ପ୍ରମୁଖ ଉପସ୍ଥିତ ରହି ଏ ସଂପର୍କରେ ସର୍ବଶେଷ ତଥ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଡଃ ମୁଦାଲି ଏହି ମହୋତ୍ସବ ସଂପର୍କରେ ସମ୍ୟକ୍ ସୂଚନା ଦେବାସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ପୂର୍ବରୁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ୪ ଋତୁକୁ ନେଇ ମହୋତ୍ସବ କରୁଥିବା ବେଳେ ଏହି ବର୍ଷଠାରୁ ୬ଟି ଋତୁକୁ ନେଇ ୬ଟି ମହୋତ୍ସବ ବିଭିନ୍ନ ସ୍ଥାନରେ ଆୟୋଜିତ କରିବ । ଗ୍ରୀଷ୍ମ ମହୋତ୍ସବ ରାଉରକେଲାରେ ହେଉଥିବାରୁ ସେ ସଂସ୍କୃତି ବିଭାଗର କର୍ତ୍ତୃପକ୍ଷଙ୍କୁ ରାଉରକେଲାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ । ଏକାଡେମୀର ସଚିବ ଶ୍ରୀ ରଥ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀ କେବଳ ଋତୁ ଭିତ୍ତିକ ଉତ୍ସବ ନୁହେଁ ଓଡିଶୀ ନୃତ୍ୟ ମହୋତ୍ସବ, ନାଟକ ମହୋତ୍ସବ, ଗୀତିନାଟ୍ୟ ମହୋତ୍ସବ, ଶିଶୁ ନାଟକ ମହୋତ୍ସବ, ଜାତୀୟ ନାଟକ ମହୋତ୍ସବ, ଲୋକ ସଂଗୀତ ମହୋତ୍ସବ, ଲୋକ ନୃତ୍ୟ ମହୋତ୍ସବ, କୋଣାର୍କ ମହୋତ୍ସବ ଓ ଉତ୍କର୍ଷ ପରି ଅନେକ ଉତ୍ସବ ବର୍ଷ ସାରା ସାରା ଓଡିଶାରେ ଆୟୋଜନ କରି ଓଡିଆ ଭାଷା ସାହିତ୍ୟ ସଂସ୍କୃତିକୁ ରୁଦ୍ଦିମନ୍ତ କରିବା ସହିତ ଓଡିଶାର କଳାକାର ମାନଙ୍କୁ ପୃଷ୍ଠପୋଷକତା କରି ଆସୁଛି । ଏହି କ୍ରମରେ ରାଉରକେଲାରେ ହେବାକୁ ଥିବା ଗ୍ରୀଷ୍ମ ମହୋତ୍ସବରେ ଓଡିଶାର ବିଭିନ୍ନ ସ୍ଥାନରୁ ତଥା କୋଲକାତାରୁ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଲୋକପ୍ରିୟ ନୃତ୍ୟ ଓ ଦୂରଦର୍ଶନ, ଆକାଶବାଣୀ, ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ମାନେ ସଂଗୀତ ପରିବେଷଣ କରିବେ । ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେବେ ବୋଲି କହିଥିଲେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଉଦିତନଗର ପଡିଆଠାରେ ପ୍ରତ୍ୟହ ସଂଧ୍ୟା ସାଢେ ୬ଟାରେ ଆରମ୍ଭ କରାଯିବ । ଏତଦ୍ ବ୍ୟତୀତ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଏକତ୍ର, ରାଉରକେଲାର ମିଳିତ ଉଦ୍ୟମରେ ଆସନ୍ତା ୨୦ ତାରିଖରୁ ମେ’ ୪ ତାରିଖ ପର୍ଯ୍ୟନ୍ତ ସେକ୍ଟର ୫ ଆଦର୍ଶ ପାଠାଗାରର ସଭାଗୃହରେ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ନାଟ୍ୟକାର ପଦ୍ମଶ୍ରୀ ପ୍ରବୀର ଗୁହାଙ୍କ ନିର୍ଦ୍ଦେଶନାରେ ଆୟୋଜିତ ହେବାକୁ ଯାଉଥିବା ଯୁବ ନାଟ୍ୟ କର୍ମଶାଳାରେ ଯୁବ ପ୍ରେମୀ ମାନେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଥିଲେ । ଶେଷରେ ସଂଯୋଜକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.