• ସହରୀ ଦାରିଦ୍ର୍ୟ ହାର ୪.୦୯% ଏବଂ ସାମଗ୍ରିକ ଦାରିଦ୍ର୍ୟ ହାର ୪-୪.୫%କୁ କମିଲା
• ଭୌତିକ ଭିତ୍ତିଭୂମିରେ ଉନ୍ନତି ଗ୍ରାମୀଣ ସମୃଦ୍ଧି ପାଇଁ ପ୍ରଶସ୍ତ କରିଛି ମାର୍ଗ
• ପାରିବାରିକ ବଜେଟରେ ଅଣ-ଖାଦ୍ୟ ସାମଗ୍ରୀ ବାବଦ ବ୍ୟୟ ବୃଦ୍ଧି
• ଡିବିଟି ଭଳି ସରକାରୀ ଯୋଜନା କାରଣରୁ ସହରୀ ଓ ଗ୍ରାମୀଣ ବ୍ୟୟ ତାରତମ୍ୟ କମିଲା
ନୂଆଦିଲ୍ଲୀ, (ପିଆଇବି) : ଦେଶରେ ୨୦୨୪ ଆର୍ଥିକ ବର୍ଷରେ ଗ୍ରାମୀଣ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୪.୮୬%ରେ ପହଞ୍ଚିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ସଦ୍ୟତମ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ହାର ୨୦୨୩ରେ ୭.୨% ଏବଂ ୨୦୧୨ରେ ୨୫.୭% ରହିଥିଲା । ସେହିପରି ସହରୀ ଦାରିଦ୍ର୍ୟ ହାର କମି ୪.୦୯%ରେ ପହଞ୍ଚିଥିବା ଏସ୍ବିଆଇର ଉପଭୋକ୍ତା ବ୍ୟୟ ସର୍ବେକ୍ଷଣରେ ଦର୍ଶାଯାଇଛି । ସାମଗ୍ରିକ ଭାବେ ଦାରିଦ୍ର୍ୟ ୪-୪.୫% ସ୍ତରକୁ ଖସି ଆସିଛି । ସରକାରୀ ସହାୟତା, ଉପଭୋକ୍ତା ବ୍ୟୟ ବୃଦ୍ଧି, ଖାଦ୍ୟ ମୂଲ୍ୟ ପରିବର୍ତ୍ତନ କେବଳ ଖାଦ୍ୟଜନିତ ବ୍ୟୟ ନୁହେଁ ବରଂ ସାମଗ୍ରିକ ବ୍ୟୟ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି । ସର୍ବନିମ୍ନ ଖୁଚୁରା ମୂଲ୍ୟକୁ ଆଧାର କରି ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସୀମା ୨୦୨୩-୨୪ ଆର୍ଥିକ ବର୍ଷରେ ୧୬୩୨ ଟଙ୍କା ରହିଥିବା ବେଳେ ସହରାଞ୍ଚଳରେ ୧୯୪୪ ଟଙ୍କା ରହିଥିବା ଏନ୍ଏସ୍ଏସ୍ଓ ରିପୋର୍ଟକୁ ଉଲ୍ଲେଖ କରି ଏସ୍ବିଆଇ ପକ୍ଷରୁ କୁହାଯାଇଛି । ୨୦୧୧-୧୨ରେ ଏହା ଯଥାକ୍ରମେ ୮୧୬ ଏବଂ ୧୦୦୦ ଟଙ୍କା ଥିଲା । ଉପଭୋକ୍ତା ଖର୍ଚ୍ଚ ବୃଦ୍ଧି କାରଣରୁ ଗ୍ରାମୀଣ ଦାରିଦ୍ର୍ୟ ଅନୁପାତ ୨୦୨୩-୨୪ରେ ପୂର୍ବବର୍ଷ ତୁଳନାରେ ୦-୫% ହ୍ରାସ ପାଇଛି । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ମାସିକ ମୁଣ୍ଡପିଛା ଉପଭୋକ୍ତା ବ୍ୟୟ (ଏମ୍ପିସିଇ) ହାରରେ ରହିଥିବା ତାରତମ୍ୟ ହ୍ରାସ ପାଇଛି । ୨୦୦୯-୧୦ରେ ଏହା ୮୮.୨ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ୬୯.୭ ପ୍ରତିଶତକୁ ହ୍ରାସ ପାଇଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର(ଡିବିଟି) ଭଳି ସରକାରୀ ଯୋଜନା, ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଜୀବିକାରେ ସାମଗ୍ରିକ ସୁଧାର କାରଣରୁ ଏହି ତାରତମ୍ୟ କମିଛି । ଭୌତିକ ଭିତ୍ତିଭୂମିରେ ଉନ୍ନତି କାରଣରୁ ଗ୍ରାମୀଣ ପରିବହନ ସୁଧାର ଆସିଛି ଫଳରେ ଏହା ଗ୍ରାମାଞ୍ଚଳର ସମୃଦ୍ଧି ପାଇଁ ମାର୍ଗପ୍ରଶସ୍ତ କରିଛି । ୨୦୧୪-୧୫ ଠାରୁ ୨୦୨୨-୨୩ ମଧ୍ୟରେ ଦେଶରେ ଦେଢ଼ ଲକ୍ଷ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୭ ଲକ୍ଷ କିଲୋମିଟରରୁ ଅଧିକ ଲମ୍ବା ସଡ଼କ ନିର୍ମାଣ କରାଯାଇଛି । ମାସିକ ମୁଣ୍ଡ ପିଛା ଉପଭୋକ୍ତା ବ୍ୟୟକୁ ଅନୁଧ୍ୟାନ କଲେ ୨୦୦୪-୦୫ ତୁଳନାରେ ୨୦୨୩-୨୪ରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ବ୍ୟବଧାନ ୮୮.୨%ରୁ ୬୯.୭%କୁ ହ୍ରାସ ପାଇଛି । ଏ କ୍ଷେତ୍ରରେ ବିହାର, ରାଜସ୍ଥାନ ଭଳି ରାଜ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି । ପାରିବାରିକ ବଜେଟ୍ରେ ଅଣ-ଖାଦ୍ୟ ସାମଗ୍ରୀ ବାବଦ ବ୍ୟୟ ବୃଦ୍ଧି ପାଇଥିବା ଏସ୍ବିଆଇ ରିପୋର୍ଟରେ କୁହାଯାଇଛି । ଏହା ୨୦୧୧-୧୨ରେ ୪୭.୪ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ଏହା ୫୨.୯୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ସହରାଞ୍ଚଳରେ ଏହା ୫୭.୩୮ ପ୍ରତିଶତରୁ ୬୦.୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଉପଭୋକ୍ତାଙ୍କ ମଧ୍ୟରେ ଆର୍ଥିକ ଦୃଢ଼ତାକୁ ଦର୍ଶାଉଛି କାରଣ ସେମାନେ ମୌଳିକ ଆବଶ୍ୟକତା ବାଦ୍ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସମ୍ବଳ ପାଇପାରୁଛନ୍ତି ।