ommm
jittmm

ଚୁଆ ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ତଳବଣ୍ଡାଗୁଡ଼ି ଗ୍ରାମରେ ପ୍ରାୟ ୫୦ ଗୋଟି ଆଦିବାସୀ ପରିବାର ବସବାସ କରନ୍ତି । ଏହି ଗ୍ରାମରେ ଲୋକଙ୍କ ବ୍ୟବହାର ନିମନ୍ତେ ମାତ୍ର ଗୋଟିଏ ନଳକୂପ ଅଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ନଳକୂପରୁ ୧୦ରୁ ୧୨ ହାଣ୍ଡି ପାଣି ବାହାରିବା ପରେ ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ବାହାରି ନଥାଏ । ଗ୍ରାମବାସୀମାନେ ଗ୍ରାମ ନିକଟରେ ପ୍ରବାହିତ ଏକ ଛୋଟ ନାଳରୁ ଅଣଓସାରିଆ ରାସ୍ତାରେ ଯାଇ ପାଣି ଆଣି ବ୍ୟବହାର କରିଥାନ୍ତି । କିନ୍ତୁ ଖରାଦିନେ ଏହି ନାଳ ମଧ୍ୟ ଶୁଖିଯିବା ଯୋଗୁଁ ସେମାନେ ଘାଟି ଉପରେ ଥିବା ଦୀର୍ଘ ୨ କିମି ଦୂର ଉପରବଣ୍ଡାଗୁଡ଼ି ଗ୍ରାମରୁ ପାଣି ଆଣିଥାନ୍ତି । ଗ୍ରାମ ନିକଟସ୍ଥ ନାଳ ନିକଟରେ ଏକ ଛୋଟ କୂପର ପାଣି ସେମାନେ ପାନୀୟ ଜଳ ଓ ରନ୍ଧନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଏହି କୂପର ପାଣି ପାନୀୟ ଜଳ ପାଇଁ ବ୍ୟବହାର କରିବା କେତେଦୂର ଯୁକ୍ତିଯୁକ୍ତ ତାହା ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଗ୍ରାମବାସୀମାନେ କହିଛନ୍ତି ସେମାନେ ଖରାଦିନେ ସ୍ନାନ କରିବା ନିମନ୍ତେ ପ୍ରାୟ ୪ କିଲୋମିଟର ଦୂର ବଂଶଧାରା ନଦୀର ଝୋଲାପୋଲ ଘାଟକୁ ଯାଇଥାନ୍ତି । କିନ୍ତୁ ବୟସ୍କ, ଶିଶୁ ଓ ରୋଗୀଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ନଥାଏ । ମେଗା ପ୍ରକଳ୍ପ ଜରିଆରେ ଏହି ଗ୍ରାମର ପ୍ରତ୍ୟେକ ଘରକୁ ଜଳ ଯୋଗାଣ ନିମନ୍ତେ ପାଇପ ବିଛା ଯାଇଛି କିନ୍ତୁ ଦୀର୍ଘ ୧ ବର୍ଷରୁ ଅଧିକ ହେବ ଜଳ ସଂଯୋଗ କରାଯାଇନାହିଁ । ଏ ସମ୍ପର୍କରେ ଗୁଡାରି ଆର୍‌ଡ଼ବ୍ଲଏସ୍‌ଏସ୍‌ ବିଭାଗ ଯନ୍ତ୍ରୀ ସୀମାଞ୍ଚଳ ପଣ୍ଡା କହିଛନ୍ତି ଏହି ଗ୍ରାମରେ ଜଳ ସମସ୍ୟା ରହିଛି । ବିଭାଗ ପକ୍ଷରୁ ଗାଁରେ ଭିନ୍ନ ଭିନ୍ନ ୫ ଗୋଟି ସ୍ଥାନରେ ନୂତନ ନଳକୂପ ଖନନ କରାଗଲା କିନ୍ତୁ ପାଣି ବାହାରିଲା ନାହିଁ । ପାହାଡିଆ ଅଂଚଳ ହୋଇଥିବାରୁ ଏହି ଅସୁବିଧା ହେଉଛି । କମ୍‌ ଦିନରେ ନୂତନ ଅତ୍ୟାଧୁନିକ ରିଗ ମେସିନ ରାୟଗଡାରୁ ଆସିବ ଏବଂ ଏହି ଗ୍ରାମରେ ନୂତନ ନଳକୂପ ଖନନ କରାଯାଇ ଗ୍ରାମରେ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ । ଗୁଡାରି ବିଡ଼ିଓ ସୁଚିସ୍ମିତା ବେହେରାଙ୍କ କହିବାନୁଯାୟୀ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଗ୍ରାମରେ ଜଳ ସମସ୍ୟାର ସମାଧାନ ନିମନ୍ତେ ସ୍ଥାୟୀ ପଦକ୍ଷେପ ନିଆଯିବ ଏବଂ ଗ୍ରାମବାସୀମାନେ ଆବଶ୍ୟକ ପରିମାଣରେ ଜଳ ପାଇବେ । ଗ୍ରାମରେ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ନିମନ୍ତେ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.