ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ତରଫରୁ ଫର୍ଟିଲାଇଜର ଚିନ୍ମୟ ଏକାଡେମୀ ଠାରେ ଶୀତ ଓ ଗୀତ ସମ୍ପର୍କିତ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସମ୍ପାଦକ କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଚିନ୍ମୟ ଏକାଡେମୀର ଅଧ୍ୟକ୍ଷ ତ୍ରିନାଥ ଦାଶ ମୋହନୀ ସଭାପତି, ବରିଷ୍ଠ କବି ଗୌରାଙ୍ଗ ଦାଶ ମୁଖ୍ୟଅତିଥି ଓ ଅନୁଷ୍ଠାନର ସଭାପତି ତଥା ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ସୁରେନ୍ଦ୍ର କୁମାର ବେହେରା ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ସଭାପତିତ୍ୱ କରୁଥିବା ଶ୍ରୀ ମୋହିନୀ ସଭାପତିତ୍ୱ ଅଭିଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ କିପରି ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରୁଛି ସେ ସମ୍ପର୍କରେ ମତ ରଖିଥିଲେ । ମୁଖ୍ୟଅତିଥି କବି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଶୀତ କିପରି କବି ଓ ସାହିତ୍ୟିକଙ୍କ ମନରେ ସ୍ୱତଃ ସ୍ଫୁରଣ କବିତା ସୃଷ୍ଟି କରାଏ ଓ ପରିଷଦର ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ବିଷୟ ବିଶେଷଜ୍ଞ ଡ. ବେହେରା ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ଶୀତ କେବଳ ଋତୁ ନୁହେଁ ଜୀବନର ଆବଶ୍ୟକତା ମଧ୍ୟ । ଶୀତ କବିଙ୍କୁ କବିତା ଲେଖିବା ପାଇଁ ପ୍ରେରିତ ଓ ପ୍ରେରଣା ଯୋଗାଇଥାଏ । ଏହାସହ ବିଭିନ୍ନ କବି ସାହିତ୍ୟିକଙ୍କ ଉଦାହରଣ ଦେଇଥିଲେ । ମଣିଷ ଜୀବନ ବତୁରି ଯାଇଥିବା କାଗଜ ଡଙ୍ଗା ଭଳି । ଶୀତ ବି ମଣିଷ ଜୀବନର କଥା କୁହେ । ଶୀତ ଏକ ଭାବାନ୍ତର, ଅନୁଚିନ୍ତା ମଧ୍ୟ । ଦ୍ଵିତୀୟ ପର୍ଯ୍ୟାୟରେ କବିତା ଆସରରେ ପରିଷଦର ଉପସଭାପତି ସୁବାସ ଚନ୍ଦ୍ର ପାତ୍ର ସଭାପତିତ୍ୱ କରିଥିଲାବେଳେ କବି ଶ୍ୱେତଲୀନା ଶତପଥୀ ଓ କବୀ ସୁଚିଶ୍ମିତା ପଣ୍ଡା କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ ଶୀତ କିପରି ମହାପ୍ରଭୁଙ୍କ ଲୀଳା, ମାନବୀୟ ଲୀଳା ଓ ତାଙ୍କ ଶୀତ ଋତୁରେ ପୋଷାକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କବି ଆରତୀ ବେହେରା, ସବିତା ଦାଶ, ପ୍ରତ୍ୟାଶା ମିଶ୍ର, ସ୍ୱୟଂଶ୍ରୀ ସାହୁ, ବୀଣାପାଣି ସାହୁ, ଜାନକୀ ସାହୁ, ଅଶୋକ ରାଉତ, ଶ୍ୱେତଲିନା ଶତପଥୀ, ସୌଦାମିନୀ ମହାକୁଡ, ସୁଚିସ୍ମିତା ପଣ୍ଡା ପ୍ରମୁଖ ଶୀତ ସମ୍ପର୍କିତ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅନୁଷ୍ଠାନର ଆଗାମୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କବି ଶ୍ରୀ ରାଉତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାରଞ୍ଜନ ମିଶ୍ର, ଭାରତୀ ବେହେରା, ଉର୍ମିଳା ରଥ, ପ୍ରତିମା ଦେଓ, ମାଧୁରୀ ପ୍ରଧାନ, ଜୟନ୍ତୀ, ପ୍ରତିଭା ଦାଶ ମୋହନୀ, ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷରେ ସାଧାରଣ ସମ୍ପାଦକ ମନୋଜ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।