ରାଉରକେଲା, (ସସ୍ମିତା ପ୍ରଧାନ) : ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷା ଦେବା ସହ ଭାରତର ସଂସ୍କୃତି ଓ ସଂସ୍କାର ଦେବା ଉଦ୍ଦେଶ୍ୟରେ ଚିନ୍ମୟ ମିଶନର ପ୍ରତିଷ୍ଠାତା ବ୍ରହ୍ମଲୀନ ସ୍ୱାମୀ, ଚିନ୍ମୟ। ନନ୍ଦ ଚିନ୍ମୟ ବିଦ୍ୟାଳୟମାନ ପ୍ରତିଷ୍ଠିତ କରିଯାଇଛନ୍ତି । ଏହି କ୍ରମରେ ସମଗ୍ର ଭାରତ ବର୍ଷରେ ଅବସ୍ଥିତ ପ୍ରାୟ ୧୦୦ଟି ଚିନ୍ମୟ ବିଦ୍ୟାଳୟରେ ଅନେକ ମୂଲ୍ୟଭିତ୍ତିକ କାର୍ଯ୍ୟକ୍ରମ ସହ ଶ୍ରୀମଦ୍ ଭଗବତ ଗୀତା ଆବୃତ୍ତି ସହ ତାର ସରଳ ଅର୍ଥ ଶିକ୍ଷା ଦିଆଯାଏ । ପ୍ରତିବର୍ଷ ପିଲାମାନଙ୍କ ମଧ୍ୟରେ ଗୀତା ଆବୃତ୍ତିର ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ଏହା ସମସ୍ତ ପ୍ରକାର ବିଦ୍ୟାଳୟର ପିଲାମାନଙ୍କ ମଧ୍ୟରେ ଆୟୋଜନ କରାଯାଇଥାଏ । ତୃଣମୂଳସ୍ତରରୁ ଜାତୀୟ ସ୍ତର ଯାଏ ଏହା ଆୟୋଜିତ ହୁଏ । ଯେଉଁଥିରେ ପ୍ରତିବର୍ଷ ଲକ୍ଷାଧିକ ପିଲା ଭାଗ ନିଅନ୍ତି । ରାଉରକେଲା ଚିନ୍ମୟ ମିଶନର ଆଚାର୍ଯ୍ୟ ତଥା ଗୀତା ଆବୃତ୍ତି ପ୍ରତିଯୋଗିତାର ରାଜ୍ୟ କୋ ଅର୍ଡିନେଟର ପୂଜ୍ୟ ସ୍ୱାମୀ ଅରୂପା ନନ୍ଦଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିନ୍ମୟ ବିଦ୍ୟାଳୟ, ଛେଣ୍ଡଠାରେ ଚିନ୍ମୟ ମିଶନ, ରାଉରକେଲା ଦ୍ୱାରା ରାଜ୍ୟସ୍ତରୀୟ ଚିନ୍ମୟ ବିଦ୍ୟାଳୟମାନଙ୍କ ମଧ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ଓଡିଶାର ୪ ଟି ଚିନ୍ମୟ ବିଦ୍ୟାଳୟର ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ନର୍ସରୀ ଶ୍ରେଣୀଠାରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ମୋଟ ୬ ଟି ବିଭାଗରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ରାଉରକେଲାରୁ ପୂଜ୍ୟ ସ୍ୱାମୀ ଅରୂପାନନ୍ଦ ଓ ପୂଜ୍ୟା ବ୍ରହ୍ମଚାରିଣି ପ୍ରତିଭା ଚୈତନ୍ୟ, ଦେବଗଡରୁ ପୂଜ୍ୟା ସ୍ୱାମୀନୀ ତନିଷ୍ଠା ନନ୍ଦ, ଲାଠିକଟାରୁ ପୂଜ୍ୟା ସ୍ୱାମୀନୀ ଋଷିପ୍ର୍ୟିା ନନ୍ଦ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସଭାରେ ପିଲାମାନଙ୍କୁ ଆଶୀର୍ଵଚନ ପ୍ରଦାନ କରିଥିଲେ । ରାଉରକେଲା ଚିନ୍ମୟ ସେବା ଟ୍ରଷ୍ଟର ମୁଖ୍ୟ ସ୍ୱାମୀ କେବଳା ନନ୍ଦ ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗୀତାର ଉପାଦେୟତା ବୁଝେଇବସହ ପୁରସ୍କାର ପ୍ରଦାନ କରିଥିଲେ । ଚିନ୍ମୟ ମିଶନ, ରାଉରକେଲାର ସମ୍ପାଦକ ନିର୍ମଳ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ୮ ଜଣ ଚିନ୍ମୟ ମିଶନର ସଦସ୍ୟ ବିଚାରକ ଭାବରେ ପିଲାମାନଙ୍କର ଆବୃତ୍ତି ଶୁଣିଥିଲେ । ଚିନ୍ମୟ ମିଶନର ଅନେକ ସଦସ୍ୟ ତଥା ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ଅଭିଭାଵିକା ଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ରୂପ ଦେଇଥିବା ପୂଜ୍ୟ ସ୍ୱାମୀ ଅରୂପାନନ୍ଦ, କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Prev Post