oum

ଅଧରାତିରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ୩ ଭାଇଙ୍କ ସମେତ ୪ ଗିରଫ

jsm

ଭୁବନେଶ୍ୱର : ଅଧରାତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡିଛି । ଠେଙ୍ଗା ଓ ବାଡ଼ିରେ ପିଟି ହତ୍ୟା ଉଦ୍ୟମ କରାଯାଇଛି । ଅଭିଯୋଗ ପାଇ ଖାରବେଳନଗର ଥାନା ପୁଲିସ ୩ ଭାଇଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଖାରବେଳନଗର ଥାନା ପଛ କଳିଙ୍ଗହାଟ ହରିଜନ ସାହିରେ ରହୁଥିବା ଗଞ୍ଜାମର ସନ୍ଦୀପ କଲ୍ୟାଣି, ରାଜା କଲ୍ୟାଣି, ମନ୍ତ୍ରୀ ଓରଫ ନବୀନ କଲ୍ୟାଣି ଓ ଉକ୍ତ ବସ୍ତିରେ ରହୁଥିବା ଚନ୍ଦକା ପାଣିଓରାର କାହ୍ନୁ ନାୟକ । ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତି ଗୋଟାଏ ବେଳେ କଳିଙ୍ଗହାଟ ହରିଜନ ସାହିର ରାହୁଲ ନାୟକ ଖାରବେଳ ନଗରରେ ଥିବା ସ୍ପୋର୍ଟସ ଏମ୍ପୋରିଅମ ସମ୍ମୁଖରେ ଛିଡ଼ା ହୋଇଥିଲେ । ଏହି ସମୟରେ ଉପରୋକ୍ତ ଅଭିଯୁକ୍ତମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଠେଙ୍ଗା ଓ ବାଡ଼ିରେ ରାହୁଲଙ୍କୁ ଗୋଡ଼ାଇ ପିଟିଥିଲେ । ତାଙ୍କ ଚିତ୍କାର ଶୁଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଆକ୍ରମଣକାରୀମାନେ ରାହୁଲଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରି ଜୀବନରୁ ମାରିଦେବାକୁ ଧମକ ଦେଇ ପଳାଇଥିଲେ । ପୁଲିସ ରାହୁଲଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଚିକିତ୍ସା କରାଇଥିଲା । ଏନେଇ ରାହୁଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା । ରାତାରାତି ପୁଲିସ ହରିଜନ ସାହିରେ ଚଢ଼ଉ କରି ୩ ଭାଇଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.