ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ସିରିଏଲ୍ ଚୋରି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିବା ବେଳେ ପୋଲିସକୁ ଜନସଧାରଣଙ୍କ ପକ୍ଷରୁ ସୋସିଆଲ ମିଡିଆରେ ବହୁତ କିଛି ଶୁଣିବାକୁ ପଡିଥିଲା । ପୋଲିସ କାହାରି କଥାକୁ ଖାତିର ନକରି ଚୋରକୁ ଧରିବାକୁ ଗୁପ୍ତ ଭାବରେ ରଣନୀତି ତିଆରି କରୁଥିଲା । ଗତ ବୁଧବାର ଦିନ ତିନି ଜଣ ଚୋରଙ୍କୁ ବରଗଡ ଜିଲ୍ଲାରୁ ଗିରଫ କରି ପୋଲିସ ତାର ଦବ୍ଦବା ଦେଖାଇ ଦେଇଛି । ତିନି ଜଣ ଚୋରଙ୍କୁ ଗିରଫ କରି ଚୋରି ହୋଇଥିବା ବହୁତ ସାମଗ୍ରୀ ସହ ଗୋଟିଏ ହୋଣ୍ଡା ଆକ୍ଟିଭା ଓଡି ୧୭କେ-୧୮୯୮ ସେମାନଙ୍କ ଠାରୁ ଜବତ କରିଛି ଖପ୍ରାଖୋଲ ପୋଲିସ । ଗୁରୁବାର ଖପ୍ରାଖୋଲ ଥାନା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ଅଗଷ୍ଟ ମାସ ୧ ତାରିଖ ଦିନ ଚୋରମାନେ ଯୋଜନାବଦ୍ଧ ଭାବେ ଖପ୍ରାଖୋଲ ମାର୍କେଟ ଏବଂ କପ୍ସିପାଲି ମାର୍କେଟରେ ଥିବା ସମୁଦାୟ ୫ ଟି ଦୋକାନର ତାଲା ଭାଙ୍ଗି ଦୋକାନରେ ମରାମତି ପାଇଁ ରଖାଯାଇଥିବା ମୋବାଇଲ, ଗୋଟିଏ ଛୋଟ ଟିଭି, ମୋବାଇଲ ଏସେସିରିଜ, ୱେଲଡ଼ିଂ ଦୋକାନ ସାମଗ୍ରୀ, କିରାନା ଦୋକାନର ସାମଗ୍ରୀ ଚୋରି କରି ବରଗଡ଼ ଜିଲ୍ଲା ନିଜ ନିଜ ଘରକୁ ଫେରାର୍ ମାରିଥିଲେ । ଏନେଇ ଦୋକାନୀ ମାନେ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖପ୍ରାଖୋଲ ଥାନା କେସ ନଂ ୧୩୫/୨୦୨୩, ୧୩୬/୨୦୨୩ରେ ଗୋଟିଏ ମାମଲା ଋୁଜୁ କରି ସିସିଟିଭି ଆଧାରରେ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କ ଅଧୀନରେ ଗୋଟିଏ ପୋଲିସ ଦଳ ଗଠନ କରାଯାଇଥିଲା । ଏଥିରେ ଏଏସ୍ଆଇ ଗୋପାଳକ୍ରିଷ୍ଣା କୁମୁରା, କନେଷ୍ଟବଳ ସଞ୍ଜୀବ ସାହୁ, ଦମୟନ୍ତୀ ନିଆଲ, ଡ୍ରାଇଭର ଫାଲ୍ଗୁନୀ ବେହେରା ପ୍ରମୁଖ ଚୋରମାନଙ୍କୁ ଖୋଜିବା ଆରମ୍ଭ କରିଥିବା ବେଳେ ଗତ ବୁଧବାର ଦିନ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବେଲମୁଣ୍ଡା ଗ୍ରାମରୁ ସନ୍ତୋଷ ସାହୁ (୨୪), ଚିତ୍ତରଞ୍ଜନ ପାଣ୍ଡେ (୨୨) ଏବଂ ସଦର ମେଲଛାମୁଣ୍ଡାରୁ ଶୁଭମ ପଟ୍ଟନାୟକ (୨୪)କୁ ପୋଲିସ ଗିରଫ କରିଛି । ଏହି ଚୋରି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଚୂଡ଼ାମଣି ଭୋଇ ଏବଂ ଦୁଃଖନାଶନ ବିଶି ବରଗଡ଼ ଜେଲରେ ଥିବା ଜଣାପଡ଼ିଛି । ଏହି ଘଟଣାରେ ଆଉ କେଉଁମାନେ ଜଡିତ ଅଛନ୍ତି, ସେନେଇ ପୁଲିସ ତଦନ୍ତ କରୁଥିବା କେସ ତଦନ୍ତକାରୀ ଅଧିକାରୀ ଗୋପୀନାଥ ମହାକୁଡ଼ ସୂଚନା ଦେଇଛନ୍ତି । ଖପ୍ରାଖୋଲ ପୋଲିସର ଏଇ ବଡ଼ ସଫଳତା ପରେ ବୁଦ୍ଧିଜୀବୀ ମହଲରେ ପୋଲିସକୁ ବେଶ ପ୍ରଶଂସା କରାଯାଇଛି ।