ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଠାରେ ଶୁକ୍ରବାର ଦିନ ମହାସମାରୋହରେ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ ହୋଇଯାଇଛି । ମା’ ଡୋକରି ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ ହୋଇ ବିରାଟ ପଟୁଆରାରେ ଗୋଟିପୁଅ ନାଚ, ଘୁମୁରା, ବାଜା ସହ ଆଦିବାସୀ ନୃତ୍ୟ ତଥା ଅନେକ ସାଂସ୍କୃତିକ ଦଳ ସହ ହଜାର ହଜାର ମହିଳା ଓ ଜନ ସମାରୋହରେ ଦୁର୍ଗା ମାଧବ ଖେଳ ପଡ଼ିଆ ହୋଇଥିବା ଘୁମୁରା ମଞ୍ଚକୁ ପହଞ୍ଚିଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନୀତ ଅତିଥି ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ଧରୁଆ ଯୋଗଦେଇ ଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ ସଭାପତିତ୍ୱ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ଅର୍ଜନ କରିଥିବା କଳାକାର, ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହିତ ସମସ୍ତ ୧୯ଟି ପଞ୍ଚାୟତ ସରପଞ୍ଚ, ସମିତି ମେମ୍ବରମାନଙ୍କୁ ସମ୍ମାନୀତ କରାଯାଇ, ଏ ବର୍ଷ ପଞ୍ଚାୟତ ସ୍ତରରେ ହୋଇଥିବା ୨୭ତମ ଘୁମୁରା ୨୦୨୫ରେ ସାଜସଜ୍ଜା, ପ୍ରତିଯୋଗିତା, ଅତିଥି ଚର୍ଚ୍ଚା ଓ ଅନେକ ଦିଗରୁ ମଦନପୁର ଗ୍ରାମ ପଞ୍ଚାୟତକୁ ଶ୍ରେଷ୍ଠ ଆୟୋଜକ ପଞ୍ଚାୟତ ଭାବେ ମନୋନୀତ କରି ମଦନପୁର ସରପଞ୍ଚ କେତକୀ ଦଣ୍ଡିଆଙ୍କୁ ଅତିଥିମାନେ ସମ୍ବାନିତ କରିଥିଲେ । ଏହି ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ଯୋଗଦେଇ କଳାହାଣ୍ଡିର ପ୍ରାଚୀନ ଗାଥା ଉପସ୍ଥାପନା କରିଥିଲେ । ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ତହସିଲଦାର ସୁଧାକର ରଇତ, ଓଡ଼ିଶା ସରପଂଚ ସଂଘ ସଭାପତି ରୋମାଞ୍ଚ ସାହୁ, ମ.ରାମପୁର ସରପଂଚ ବୀଣାପାଣି ସାହୁ ଯୋଗଦେଇଥିଲେ । ଉଭୟ କାର୍ଯ୍ୟକ୍ରମରେ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଶ୍ରୀ କଳା କେନ୍ଦ୍ର କଟକ ଓ ଗୋଟିପୁଅ ନୃତ୍ୟ, ପୁରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଧୀର ନାଏକ ପରିଚାଳନା କରିଥିଲେ ଓ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
Prev Post