ସୋନପୁର କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା : ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି

  • ୩ ଛାତ୍ରଙ୍କୁ କୋର୍ଟ ଚାଲାଣ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ପୂର୍ବାହ୍ନ ୧୧ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଏସ୍‌ପି ନାରାୟଣ ନାଏକ ସୋନପୁର କଲେଜ ପରିଦର୍ଶନ କରି ଗତକାଲି ପ୍ରଥମ ଥର ପାଇଁ ସୋନପୁର କଲେଜରେ ହୋଇଥବା ଭଙ୍ଗାରୁଜା ଘଟଣାର ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରଥମେ ଭଙ୍ଗାରୁଜା ହୋଇଥିବା କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଓ କଲେଜ ପରିସରରେ ମଧ୍ୟ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ କଲେଜର ନୂତନ କୋଠାର ୧୦୩ ନଂ କକ୍ଷରେ ୧୨୦ ଜଣ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଡ. ସାହୁ ଓ ଏସପି ଶ୍ରୀ ନାୟକ ଗତକାଲି ଘଟଣା ବିଷୟରେ ସମୀକ୍ଷା କରିଥିଲେ । ଜିଆଇଏ, ବ୍ଲକ୍ ଗ୍ରାଣ୍ଟ, ଏସ୍‌ଏସ୍‌ବି ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କ ସହିତ ପୃଥକ ଭାବରେ ପରିଚୟ ହୋଇଥିଲେ । ଗତକାଲିର ଗଣ୍ଡଗୋଳ ବେଳେ ଏତେ ଜଣ କର୍ମଚାରୀ ଉପସ୍ଥିତ ଥାଇ କାହିଁକି ଘଟଣା ଘଟାଇଥିବା ଛାତ୍ରଙ୍କୁ କେହି ପ୍ରତିବାଦ ନ କଲେ ବୋଲି ବିସ୍ମିତ ହୋଇଥିଲେ । ବିଗତ ୩ ବର୍ଷ ଧରି ଚାଲୁଥିବା ଏହି କଲେଜର ପରୀକ୍ଷା ହବ୍ ସେଣ୍ଟର ଦୁଇଦିନ ପୂର୍ବରୁ ହଠାତ ବନ୍ଦ ନିର୍ଦ୍ଦେଶ ଆସିବା ଏହା ଆପଣଙ୍କ ସଫଳତା କି ବୋଲି ସମାଲୋଚନା କରିଥିଲେ । ଯେଉଁ ୮/୧୦ ଜଣ କର୍ମଚାରୀ ସୋନପୁର କଲେଜର ଦୁର୍ନୀତି ଓ ଗଣ୍ଡଗୋଳର ପ୍ରଚ୍ଛଦ ପଟରେ ହାତ ଅଛି ତାହା ବିଭିନ୍ନ ସୂତ୍ରରୁ ଆମ ପୋଲିସ ପ୍ରଶାସନ ପାଖରେ ସବିଶେଷ ରିପୋର୍ଟ ପହଞ୍ଚିଛି ଓ ଆପଣ ମାନେ ଭାବନ୍ତୁ ନାହିଁ ଯେ, ଆମେ ସ୍ଥାୟୀ ଭାବରେ ଏଠାରେ ରହି ଅରାଜକତା କରିବୁ । ପ୍ରତ୍ୟେକ ଗଣ୍ଡଗୋଳ ଘଟଣାରେ ନିଜର ଅନୁଷ୍ଠାନ ଭିତରେ ହିଁ ଗୃହଶତ୍ରୁ ରହିଥାନ୍ତି ବୋଲି ସମସ୍ତେ ଜାଣନ୍ତି । ଆଉ ଏ ଅଶାନ୍ତ ପରିବେଶ ପାଇଁ ସେମାନେ ହିଁ ଦାୟୀ ବୋଲି କହିଥିଲେ । ଏବେ ବି ସମୟ ଅଛି ବିଶୃଙ୍ଖଳିତ ଓ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ସୁଧୁରି ଯାଅ ବୋଲି ତାଗିଦ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ କରିଥିଲେ । ଏହି ପରିଦର୍ଶନ ତଥା ବୈଠକରେ ପରିଚାଳନା କମିଟି ସଭାପତି ସୁବର୍ଣ୍ଣପୁର ଏଡିଏମ୍‌ (ରାଜସ୍ୱ) ରାଜେନ୍ଦ୍ର ମାଝୀ, କଲେଜ ଅଧ୍ୟକ୍ଷ ରାଧାକାନ୍ତ ନାଏକ, ଅଧ୍ୟାପକ ଓ ଆଲୁମିନୀ ସଂଘ ସମ୍ପାଦକ ଭାରତ ଭୂଷଣ ଦାଶଙ୍କ ସହିତ କଲେଜ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଗତକାଲି ଦିନ ପ୍ରାୟ ୧୨ଟା ବେଳେ ହଠାତ୍ କିଛି ଛାତ୍ର ସୋନପୁର କଲେଜ ଅଧ୍ୟକ୍ଷଙ୍କ ଚ୍ୟାମ୍ବରକୁ ପ୍ରବେଶ କରି କବାଟ, ଆଲମୀରା, ଆସବାପତ୍ର, ଟେବୁଲ ଏବଂ ମୂଲ୍ୟବାନ ସାମଗ୍ରୀ ଆଦି ଭାଙ୍ଗି ଦେଇଥିଲେ । ଏପରିକି କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବା ପାଇଁ ଧମକ ଚମକ ଦେଇଥିଲେ । ଏନେଇ କଲେଜ ଅଧ୍ୟକ୍ଷ ରାଧାକାନ୍ତ ନାଏକଙ୍କ ସହ କଲେଜର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସମୂହ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସୋନପୁର ପୁଲିସ୍ ୩ ଜଣ ଛାତ୍ରଙ୍କୁ ସୋନପୁର ଥାନାକୁ ଆଣି ଅଟକ ରଖିଥିଲା । ଆଜି ସେହି ୩ ଛାତ୍ର ଶୁଭମ୍ ମିଶ୍ର, ସୁମନ୍ତ ଜଗଦଲା ଏବଂ ପ୍ରଦୀପ ଦୀପକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଯାଦବ ବାଗ କହିଛନ୍ତି । ଭଙ୍ଗାରୁଜା କରିବା ଘଟଣାକୁ ଜନସାଧାରଣ ତଥା ବୁଦ୍ଧିଜୀବି ମହଲରେ କଡ଼ା ନିନ୍ଦା କରାଯାଇଛି ।

Leave A Reply

Your email address will not be published.