ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଚାରଭଟ୍ଟା ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଯୁକ୍ତଦୁଇ ଦ୍ଵିତୀୟ ବର୍ଷ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ ହେଲେ ଚାରଭଟ୍ଟା ଆଶ୍ରମ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟର ସହକାରୀ ଅଧିକ୍ଷକ ଅରବିନ୍ଦ ମହାକୁର । ସୂଚନାଯୋଗ୍ୟ ଯେ, ଗତକାଲି ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ମୃତ ଛାତ୍ର ଜଣକ ଡୁଙ୍ଗୁରିପାଲି ଥାନା ଚେରୁପାଲି ନିକଟସ୍ଥ ବଡ଼ନୁଆପାଲି ଗାଁର ବିଷ୍ଣୁ ସୁନାଙ୍କ ପୁଅ ଆର୍ଯ୍ୟନ ସୁନା (୧୭) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ମଙ୍ଗଳବାର ଦିନ ପ୍ରାୟ ୧୧ଟା ବେଳେ ଆର୍ଯ୍ୟନ ବିଛଣାରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସହପାଠୀମାନେ ତାଙ୍କର ଅଧ୍ୟକ୍ଷା ନିବେଦିତା ହୋତାଙ୍କୁ ଜଣାଇଥିଲେ । ଅଧ୍ୟକ୍ଷା ତୁରନ୍ତ ତାଙ୍କ ଘର ଲୋକଙ୍କୁ ଖବର ଦେଇ ସଙ୍ଗେ ସଙ୍ଗେ ଆର୍ଯ୍ୟନଙ୍କୁ ଚାରଭଟ୍ଟା ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ଅଭିଭାବକ ସେଠାକୁ ପହଞ୍ଚିଥିଲେ । ଖବର ପାଇ ସୋନପୁର ଏସ୍ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ତହସିଲଦାର ଶ୍ୱେତାଲିନା ମାହାଣା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂହ ତରଭା ଥାନା ଆଇଆଇସି ଅନିତା କିଡୋ, ଏସ୍ଆଇ ରବୀନ୍ଦ୍ର ସାହୁ, କମସରା ଫାଣ୍ଡି ଅଧିକାରୀ ସଞ୍ଚିତ ସେଠୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଜିଲ୍ଲାପାଳ ଡ. ନୃପରାଜ ସାହୁ ମଧ୍ୟ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ସିଡିଏମ୍ଓ ଡା. ଉଷାରାଣୀ ଦାସଙ୍କ ଉପସ୍ଥିତିରେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ମୃତ ଆର୍ଯ୍ୟନଙ୍କ ବାପାଙ୍କ ଲିଖିତ ଏତଲା ଅନୁସାରେ ତରଭା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସୋନପୁର ଏସ୍ପି ନାରାୟଣ ନାୟକ ପ୍ରତିକ୍ରିୟାରେ କହିଛନ୍ତି ଘଟଣାର ତଦନ୍ତ ଚାଲିଛି ଓ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।