ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ମୋଟ ଜନସଂଖ୍ୟାର ୭୩% ଲୋକ କୃଷିଉପରେ ନିର୍ଭରଶୀଳ । ରାଜ୍ୟସରକାର ସବୁବେଳେ କୃଷି ଓ କୃଷକଙ୍କ ଉନ୍ନତି କଥା ଚିନ୍ତା କରୁଥିବା କହୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲାର ଚାଷୀ ସରକାରୀ ଅବହେଳାର ଶିକାର ହୋଇ କେବଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଦୁଃଖର ବିଷୟ ଯେ, ଟିଟିଲାଗଡରେ ଥିବା ଏକମାତ୍ର ସରକାରୀ ଶୀତଳ ଭଣ୍ଡାରକୁ ଚଳାଇବାରେ ସରକାରୀ କଳ ବିଫଳ ହୋଇଛି । ୮ କୋଟି ଟଙ୍କାରେ ନିର୍ମିତ ଏହି ଶୀତଳ ଭଣ୍ଡାର ଏବେ ଭୂତକୋଠି ପାଲଟିଛି । ଗତ ଜିଲ୍ଲା ପରିଷଦ ବୈଠକରେ ବଲାଙ୍ଗିର ଜିଲ୍ଲାର କୃଷି ବିଭାଗ ସମ୍ବନ୍ଧୀୟ ଆଲୋଚନା କାଳରେ ଏହି କଥା ଉଠିଥିଲା । ବିଜେପିର ଜିଲ୍ଲା ପରିଷଦ ସଦସ୍ୟ ଶିବଦତ୍ତ ମିଶ୍ର ଜିଲ୍ଲାରେ କେତେ ଶୀତଳ ଭଣ୍ଡାର ରହିଛି ଓ ସରକାରଙ୍କ କ’ଣ ପ୍ରସ୍ତାବ ରହିଛି ବୋଲି ପ୍ରଶ୍ନ କରିଥିଲେ । ଜିଲ୍ଲା ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ତାଙ୍କ ଉତ୍ତରରେ ବଲାଙ୍ଗିର ସହରରେ କେବଳ ଦୁଇଟି ଘରୋଇ ଶୀତଳ ଭଣ୍ଡାର ରହିଥିବା କହିଥିଲେ । ସରକାରୀ ଭାବରେ ଥିବା ବଲାଙ୍ଗିରର ଶୀତଳ ଭଣ୍ଡାର ଗତ ୨୦୦୦ ମସିହାରୁ ବନ୍ଦ ଥିବା ଓ ଟିଟିଲାଗଡର ଶୀତଳ ଭଣ୍ଡାର ମଧ୍ୟ ଦୀର୍ଘ ବର୍ଷ ହେଲା ବନ୍ଦଥିବା ଉତ୍ତର ଆସିଥିଲା । ଏହି ବୈଠକରେ ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଉପସ୍ଥିତ ଥିଲେ । ମନ୍ତ୍ରୀ କହିଥିଲେ ଯେ, ଟିଟିଲାଗଡ ଶୀତଳ ଭଣ୍ଡାରକୁ ଚଳାଇବାକୁ କୌଣସି ପ୍ରାଇଭେଟ୍ ପାର୍ଟି ମଙ୍ଗୁୁ ନାହାଁନ୍ତି । କିଛି ସଭ୍ୟ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ସରକାର କାହିଁଁକି ଶୀତଳ ଭଣ୍ଡାରକୁ ଚଳାଉ ନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲାରେ ଆଉ ୧୬ଟି ଛୋଟ ଛୋଟ ନୂଆ ଶୀତଳ ଭଣ୍ଡାର କରାଯାଉଥିବା ସୂଚନା ଦେଇଥିଲେ । କିନ୍ତୁ ଟିଟିଲାଗଡ ଶୀତଳ ଭଣ୍ଡାରକୁ ଚଳାଇବା କଥାକୁ ମନ୍ତ୍ରୀ କିମ୍ବା ଜିଲ୍ଲାପାଳ ସ୍ପଷ୍ଟ କରି ପାରିନଥିଲେ । ଏହି ଶୀତଳ ଭଣ୍ଡାରକୁ ଚଳାଇବାରେ ସରକାର ବିଫଳ ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା । ଫଳରେ ଜିଲ୍ଲା ପରିଷଦ ବୈଠକରେ ଘଟଣାକୁ ନେଇ ଅନେକ ନେତା ଓ ଚାଷୀ ଅସନ୍ତୋଷ ବ୍ୟକ୍ତ କରୁଥିବା ଜଣାପଡ଼ିଛି ।
ପ୍ରକଶଯୋଗ୍ୟ ଯେ, ଟିଟିଲାଗଡ ଅଞ୍ଚଳର ବାଳକୃଷ୍ଣ ବେହେରା ଏପିକଲ ଅଧ୍ୟକ୍ଷ ଥିବା ବେଳେ ଜିଲ୍ଲାର ପିଆଜ ଓ ଅନ୍ୟାନ୍ୟ ପନିପରିବା ଚାଷୀଙ୍କ ସୁବିଧା ପାଇଁ ୮କୋଟି ଟଙ୍କାର ବ୍ୟୟ ଅଟକଳରେ ଟିଟିଲାଗଡ ଚାହାଁରଭଟାରେ ଏକ ମେଗା ଶୀତଳ ଭଣ୍ଡାର ନିର୍ମାଣ କରାଇଥିଲେ । ତାଙ୍କ ମୃତ୍ୟୁ ପରେ ଏଥିରେ ଅବ୍ୟବସ୍ଥା ଦେଖାଗଲା । ନିର୍ମାଣର ଅନେକ ଦିନ ପର୍ଯ୍ୟନ୍ତ ଏହା ଚାଲିପାରିଲା ନାହିଁ । ସ୍ଥାନୀୟ ଲୋକଙ୍କ ଦାବୀ ପରେ ଏହାକୁ କିଛିବର୍ଷ ଚଳାଗଲା । କିନ୍ତୁ ଏହାକୁ ଚଳାଉଥିବା ଏଜେନ୍ସି ଓ ସରକାରଙ୍କ ମଧ୍ୟରେ ତାଳମେଳ ନରହିବାରୁ ପୁଣି ଏହା ବନ୍ଦ ହୋଇ ପଡିରହିଲା । ଏବେ ଏହାର ବହୁମୂଲ୍ୟର ମେସିନ ସବୁ ଅଚଳ ରହି ନଷ୍ଟ ହୋଇଗଲାଣି । ଶ୍ରୀମତୀ ଟୁକୁନି ସାହୁ ବିଧାୟିକା ହେବା ପରେ ଅନେକ ଥର ଲୋକେ ଏହି ଶୀତଳ ଭଣ୍ଡାରକୁ ଚଳାଇବାକୁ ଦାବୀ କରିଥିବା ବେଳେ ଗତ ବର୍ଷ ଏକ ବୈଷୟିକ ଟିମ୍ ମଧ୍ୟ ଏହାର ପରିଦର୍ଶନରେ ଆସିଥିଲେ । ସରକାର ଏହାକୁ ଘରୋଇ ପରିଚାଳନାରେ ଛାଡିଦେବାକୁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ କୌଣସି ଘରୋଇ ପାର୍ଟି ଆସୁନାହାଁନ୍ତି ବୋଲି କୁହାଯାଉଛି । ବ୍ୟୟବହୁଳ ନିର୍ମାଣ କରି ଶେଷରେ ଘରୋଇ କମ୍ପାନୀ ଖୋଜିବାକୁ ସରକାର ଲାଗିଥିବାରୁ କୃଷକ ମହଲରେ ଅସନ୍ତୋଷ ଦେଖାଦେଉଛି । ସୂଚନାଯୋଗ୍ୟ ଯେ, ଟିଟିଲାଗଡ ଉପଖଣ୍ଡରେ ପ୍ରତିବର୍ଷ ହଜାର ହଜାର ଟନ୍ ପିଆଜ ଓ ଅନ୍ୟାନ୍ୟ ପନିପରିବା ଅମଳ ହୋଇଥାଏ । ଏହି ଅଞ୍ଚଳରେ ତାପମାତ୍ରା ଅଧିକ ରହୁଥିବାରୁ ପନିପରିବା ସଂରକ୍ଷଣ ନକଲେ ପଚିଯିବାର ଆଶଂକା ରହିଥାଏ । ଟିଟିଲାଗଡ ଅଞ୍ଚଳରେ ବହୁଳ ପରିମାଣରେ ପିଆଜ ଅମଳ ହୁଏ । କିନ୍ତୁ ପିଆଜକୁ ସଂରକ୍ଷଣ ରଖାଯାଇ ପାରୁନଥିବାରୁ ପିଆଜ ଅମଳ ବେଳେ ଚାଷୀ କିଲୋ ପ୍ରତି ମାତ୍ର ୨ରୁ ୫ଟଙ୍କା ଦରରେ ବିକ୍ରି କରିଦେଇଥାନ୍ତି । କେତେକ ବ୍ୟବସାୟୀ ଏହି ଅଞ୍ଚଳର ଚାଷୀଙ୍କଠାରୁ କମ୍ଦରରେ ପିଆଜ କିଣି ଛତିଶଗଡ ରାଜ୍ୟରେ ଥିବା ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖି ପୁଣି ଚଢାଦରରେ ଏହି ଅଞ୍ଚଳକୁ ଆଣି ବିକ୍ରି କରୁଛନ୍ତି । ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ବେଳେ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି । ସେହିପରି ଟମାଟୋ ଓ ଅନ୍ୟାନ୍ୟ ପନିପରିବା ମଧ୍ୟ ସଂରକ୍ଷିତ ରଖିବାର ସୁବିଧା ନଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି । ରାଜ୍ୟ ସରକାର କୃଷକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଏଦିଗରେ ଧ୍ୟାନ ଦେବାକୁ ଚାଷୀମାନେ ଦାବୀ କରୁଛନ୍ତି ।