୯ ଦଫା ଦାବୀ ନେଇ କଂଗ୍ରେସ ଦଳର ଡେଲାଙ୍ଗ ବ୍ଲକ ଘେରାଉ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ଚରମ ଅପାରଗତା, ତ୍ରୁଟିପୂର୍ଣ୍ଣ କୃଷକ ଓ ଶ୍ରମିକ ମାରଣ ନୀତି, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ବେକାରୀ ସମସ୍ୟା, ବ୍ଳକ୍ ଅଫିସରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ତ୍ରୁଟିପୂର୍ଣ୍ଣ ବିଜୁଳି ନୀତି ତଥା ଟାଟା କମ୍ପାନୀର ଖାଉଟି ମାରଣ ଫନ୍ଦା, ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ ଓ କିରୋସିନି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, କୃଷିଜାତ ପଦାର୍ଥର ଅଭାବୀ ବିକ୍ରି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଆଦି ୯ ଦଫା ସମ୍ବଳିତ ଦାବୀ ପ୍ରସଙ୍ଗରେ ଶୁକ୍ରବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ଵାନକ୍ରମେ ରାଜ୍ୟର ୩୧୪ ଗୋଟି ବ୍ଳକ୍ ସମ୍ମୁଖରେ କଂଗ୍ରେସ୍ ପକ୍ଷରୁ ବ୍ଳକ୍ ଘେରାଉ, ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ ଆଦି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ଡେଲାଙ୍ଗ ବ୍ଲକ୍ କଂଗ୍ରେସ୍ କମିଟି ପକ୍ଷରୁ ବ୍ଲକ୍ ଘେରାଉ, ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ୍ କଂଗ୍ରେସ୍ କମିଟି ସଭାପତି ରବୀନ୍ଦ୍ର କୁମାର ଦାସ ଓ ଯୁବ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ସମର୍ଥକ ଡେଲାଙ୍ଗ ହାଟ ବଜାରଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରି ବ୍ଳକ୍ ସମ୍ମୁଖରେ ପହଞ୍ଚି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଡେଲାଙ୍ଗ ବ୍ଲକ୍ ମୁଖ୍ୟ ଫାଟକ ପାର୍ଶ୍ବରେ ବ୍ଳକ୍ କଂଗ୍ରେସ୍ କମିଟି ସଭାପତି ରବିନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ୍ ନେତା ଓ କର୍ମୀମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଫଳତା, ଅପାରଗତା ଓ କୃଷକ ତଥା ଶ୍ରମିକମାରଣ ନୀତି ବିରୁଦ୍ଧରେ ଗର୍ଜିଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟରେ ଡେଲାଙ୍ଗ ବ୍ଲକ ବ୍ୟାପକ ପିସି କାରବାର ହେଉଥିବା ଅଭିଯୋଗ ଅଭିଯୋଗ ଆଣିଥିଲେ । ତେବେ ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକଙ୍କୁ ମହାମହିମ୍ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଳକ୍ କଂଗ୍ରେସ୍ କମିଟି ପକ୍ଷରୁ ୯ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ବ୍ଳକ୍ କଂଗ୍ରେସ୍ କମିଟି ସଭାପତି ରବୀନ୍ଦ୍ର କୁମାର ଦାସ, ଯୁବ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ରଙ୍କ ସମେତ ଯୁବ କଂଗ୍ରେସ ନେତା ନିର୍ମଳ ପରିଡା, ବିଶ୍ଵରଞ୍ଜନ ବଳବନ୍ତରାୟ, ବିପିନି ବିହାରୀ ବଳବନ୍ତରାୟ, ଅଶୋକ ବେହେରା, କ୍ଷେତ୍ରବାସୀ ସାହୁ, ମିର୍ ସଲିମ୍, ଗୁଣନିଧି ପ୍ରଧାନ, ପ୍ରକାଶ ପ୍ରଧାନ, ଅନାଦି ପ୍ରଧାନ ପ୍ରମୁଖ ସାମିଲ୍ ହୋଇଥିଲେ । ଡେଲାଙ୍ଗ ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ କେଳୁ ଚରଣ ଜେନା ସଦଳବଳେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ଵ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଯୁବ କଂଗ୍ରେସ ନେତା ବିଶ୍ଵରଞ୍ଜନ ବଳବନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.