ଭୁବନେଶ୍ୱର : ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଏ । ୨୦୧୦ରେ ପ୍ରଥମେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା । କ୍ରମେ ବିଲୁପ୍ତ ହୋଇଯାଉଥିବା ଘରଚଟିଆକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଏହି ଦିନ ସଚେତନତା ବଣ୍ଟାଯାଇଥାଏ । ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯିବା ସହ ଆମ ପରିବେଶରେ ପକ୍ଷୀଙ୍କ ଗୁରୁତ୍ୱକୁ ଲୋକଙ୍କୁ ବୁଝାଯାଇଥାଏ ।
ଚଳିତ ବର୍ଷ ବିଶ୍ୱ ଘରଚଟିଆ ଦିବସର ବିଷୟବସ୍ତୁ ‘ଆଇ ଲଭ୍ ସ୍ପାରୋ’ ରହିଛି । ଏହି ଥିମ୍ ପ୍ରତିବର୍ଷ ସମାନ ରହିଥାଏ । ଅର୍ଥାତ ୨୦୧୦ରୁ ଆଜି ଯାଏଁ ବିଷୟ ବସ୍ତୁକୁ ପରିବର୍ତ୍ତନ କରାଯାଇନାହିଁ । ଏହି ପକ୍ଷୀଙ୍କୁ ବିଲୁପ୍ତ ହେବାରୁ ରୋକିବା ପାଇଁ ଆମେ ଘର ଛାତ, ପାଚେରୀ କିମ୍ବା ଖୋଲା ପଡ଼ିଆରେ ଖାଦ୍ୟ ଓ ପାଣି ରଖିପାରିବା । ଯଦି ଆପଣଙ୍କ ଘରେ ଘରଚଟିଆ ବସା ତିଆରି କରିଛି ତେବେ ତାହାକୁ ନ ଭାଙ୍ଗି ତାହାର ରକ୍ଷା କରନ୍ତୁ । ଘର ଭିତରେ ଘରଚଟିଆ ପଶିଆସିଲେ ତୁନ୍ତର ପଙ୍ଖା, କୁଲର ଆଦି ବନ୍ଦ କରିଦିଅନ୍ତୁ । ଅଧିକରୁ ଅଧିକ ବୃକ୍ଷରୋପଣ କରନ୍ତୁ । ଏହା ଦ୍ୱାରା କେବଳ ଘରଚଟିଆ ନୁହେଁ ଅନ୍ୟପକ୍ଷୀମାନେ ମଧ୍ୟ ସୁରକ୍ଷିତ ରହିବେ । ପ୍ରକାଶଥାଉ କି, ନେଚର ଫରଏଭର ସୋସାଇଟି ଅଫ୍ ଇଣ୍ଡିଆ ଏବଂ ଫ୍ରାନ୍ସର ଇକୋ-ଏସ୍ୱାଇଏସ୍ ଆକ୍ସନ ଫାଉଣ୍ଡେଶନ ପକ୍ଷରୁ ପ୍ରଥମେ ଘରଚଟିଆ ଦିବସ ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଘରଚଟିଆର ସୁରକ୍ଷା ପାଇଁ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରିବା ।