ପୁରୀ : ଓଷ ଓ ଦଶମୂଳ ମହୌଷଧି ଲାଗି ପରେ ଶ୍ରୀଜିଉମାନେ ଜ୍ୱରମୁକ୍ତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜାଙ୍କ ନିକଟରେ ପହଞ୍ଚିଗଲା । ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର । ଆଉ ମାତ୍ର ୨ ଦିନ ପରେ ଠାକୁରେ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଣୁ ସେବକମାନେ ଠାକୁରଙ୍କ ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ଲାଗିଛନ୍ତି ।
ଶୁକ୍ରବାର ପବିତ୍ର ଆଷାଢ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହେବ । କର୍ପୂର, କେଶର ଓ କସ୍ତୁରୀ ମିଶ୍ରିତ ଦିବ୍ୟ ଖଳି ଠାକୁରଙ୍କୁ ଲାଗି କରାଯିବ । ମଣିଷ ଶରୀରରେ ଶିରା, ପ୍ରଶିରା ଓ ଅନ୍ତନାଡ଼ି ପରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅକ୍ଷାଂଶ ଓ ଦ୍ରାଘିମା ରେଖା ପରି ବିଭିନ୍ନ ଛାନ୍ଦ ପଡ଼ି ପାଟ ଡୋର ଲାଗି କରାଯିବ । ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀର ପଟୁଆରରେ ଖଳିପ୍ରସାଦ ଶ୍ରୀମନ୍ଦିରକୁ ଆସିଥିବ । ଖଳି ପ୍ରସାଦକୁ ଶ୍ରୀଅଙ୍ଗରେ ଲାଗି କରାଯିବ । ବିଶ୍ୱାବସୁଙ୍କ ଭଳି ମହାପ୍ରଭୁଙ୍କ ଅନବସରରେ ଦଇତାପତି ମହାପ୍ରଭୁଙ୍କର ସେବା କରୁଛନ୍ତି । ଶୁଦ୍ଧ ସୁଆରଙ୍କ ଖଳିପ୍ରସାଦ ଲାଗି ହେଲା ପରେ ଖଡ଼ିପ୍ରସାଦ ଲାଗି କରାଯାଏ । ଏହାପରେ ଶ୍ରୀଜିଉ ପୂର୍ବାବସ୍ଥାକୁ ଫେରିବେ ବୋଲି କୁହାଯାଏ । ଭୋଗମଣ୍ଡପ ସରିଲେ ଦତ୍ତମହାପାତ୍ର ସେବକଙ୍କ ଘରୁ ଖଡ଼ିପ୍ରସାଦ ଶ୍ରୀମନ୍ଦିରକୁ ବିଜେ ହେବାର ବିଧି ଅନୁଷ୍ଠିତ ହେବ ।