ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

  • ଜିଲ୍ଲାର ଚାଷ ଓ ଚାଷୀଙ୍କ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅସିତ ତ୍ରିପାଠୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ତା ୦୧.୧୧.୨୦୨୨ରିଖରେ ଅପରାହ୍ନରେ ସୋନପୁର ଠାରେ ପହଞ୍ଚିଥିଲେ । ପରେ ୨.୩୦ ମିନିଟ୍‌ରେ ସ୍ଥାନୀୟ ସର୍କିଟ ହାଉସ ଠାରେ ପ୍ରସ୍ତାବିତ ଡବ୍ଲୁଓଡିସି ହ୍ୟାଣ୍ଡଲୁମ ମଲ୍‌ର ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତତ୍‌ ସହ ଜିଲ୍ଲାର ହ୍ୟାଣ୍ଡଲୁମ ବସ୍ତ୍ର ବୁଣାଳୀଙ୍କ ସହିତ ଆଲୋଚନା କରି ବୁଣାକାରମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ରର ଚାହିଦା ଦୃଷ୍ଟିରୁ ନୂତନ ଡିଜାଇନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେବାସହ ଜିଲ୍ଲାର ହ୍ୟାଣ୍ଡଲୁମ ବସ୍ତ୍ରର ବଜାରୀକରଣକୁ ଅଧିକ ସୁଦୂରପ୍ରସାରି କରିବା ଉପରେ ଗୁରୁତ୍ଵ ଦେଇଥିଲେ । ପରେ ପରେ ଅଧ୍ୟକ୍ଷ ୦୩.୩୦ ମିନିଟ୍‌ରେ କ୍ଷେତ୍ର ପରିଦର୍ଶନରେ ବାହାରି ଡୁଙ୍ଗୁରିପାଲି ବ୍ଲକର ରାମପୁର ଠାରେ ଶ୍ରୀରାମ ମହାବିଦ୍ୟାଳୟ ଦ୍ୱାରା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଭବ୍ୟ ସଭାରେ ଯୋଗଦାନ କରି ବିଦ୍ୟାର୍ଥୀନୀଙ୍କୁ ଉଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ଉପାଦେୟ ପରାମର୍ଶ ଦେଇଥିଲେ । ତତ୍‌ ପଶ୍ଚାତ ରାମପୁର ଠାରେ ଡବ୍ଲୁଓଡିସି ଦ୍ୱାରା ୫୫ ଲକ୍ଷ ଟଙ୍କାରେ ନିର୍ମାଣାଧିନ ବିଜୁ ଗ୍ରାମୀଣ ବଜାରର କାର୍ଯ୍ୟ ବୁଲି ଦେଖିଥିଲେ ଓ ସମୟ ଅବଧି ଭିତରେ କାମ ସମାପ୍ତ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସ୍ଥାନୀୟ ସରକାରୀ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅଧାରୁ ପାଠ ଛାଡିଥିବା ବାଳିକା ବିଦ୍ୟାର୍ଥୀଙ୍କ ସହ ଭାବବିନିମୟ କରିବା ସହ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଉକ୍ତ ଗସ୍ତ ଅବସରରେ ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ, ପଶ୍ଚିମ ଓଡିଶା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପରେ ବିନିକା ମାର୍କେଟ ୟାର୍ଡ଼ ଠାରେ ଡୁଙ୍ଗୁରିପାଲି ବ୍ଲକର ଗଜବନ୍ଧ ଏବଂ ଗଣିଆ ସମେତ ଅନ୍ୟାନ୍ୟ ଗ୍ରାମରେ ଚାଷୀମାନଙ୍କ ସହିତ ମାଛ ଚାଷ ଓ ଅନ୍ୟାନ୍ୟ ଚାଷ ସମ୍ୱନ୍ଧରେ ପଚାରି ବୁଝିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ଚାଷୀମାନଙ୍କ ସହିତ ସମନ୍ଵିତ ଚାଷ, ଧାନ ବଜାର ଓ ବିକ୍ରି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ସେ ଏହି ଅବସରରେ ଚାଷୀମାନଙ୍କୁ କେବଳ ଧାନ ଚାଷ ନକରି ଅନ୍ୟାନ୍ୟ ଅଣଧାନ ଅଧିକ ଲାଭକାରୀ ଚାଷ କରିବା ଉପରେ ପରାମର୍ଶ ଦେଇଥିଲେ, ଯାହା ଦ୍ୱାରା ଜିଲ୍ଲାର ଚାଷ ଓ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ । ଏହି ବୈଠକରେ ନିୟନ୍ତ୍ରିତ ବଜାର କମିଟି ଡୁଙ୍ଗୁରିପାଲି ସମ୍ପାଦକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଅଧ୍ୟକ୍ଷଙ୍କୁ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଅବଗତ କରାଇଥିଲେ । ସନ୍ଧ୍ୟାରେ ଶ୍ରୀଯୁକ୍ତ ତ୍ରିପାଠୀ, ସୋନପୁର ଠାରେ ଥିବା ମିଶନ ଶକ୍ତି ଦ୍ୱାରା ପରିଚାଳିତ ସୁବର୍ଣ୍ଣା ଶ୍ରୀ, ଫରେଷ୍ଟ ପାର୍କ ପରିଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସମୀକ୍ଷା ବୈଠକରେ ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ତଥା ଡବ୍ଲୁଓଡିସି ଭାରପ୍ରାପ୍ତ ଅଧିକାରୀ, ସୁବର୍ଣ୍ଣପୁର, ଡବ୍ଲୁଓଡିସି ଯୋଜନାର ଅଗ୍ରଗତି ଓ ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଗୃହରେ ଉପସ୍ଥାପନା କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ, ଜିଲ୍ଲା ହସ୍ତତନ୍ତ, କୃଷି, ଶିଳ୍ପ, ମତ୍ସ୍ୟ, ଉଦ୍ୟାନ, ଓରମାସ୍ ଅଧିକାରୀମାନଙ୍କ ସହିତ ଅଲୋଚନା କରି ଜିଲ୍ଲାର ଏକ କାର୍ୟ ଖସଡା (ଡିଷ୍ଟିକ୍‌ ଏକ୍‌ସନ୍‌ ପ୍ଲାନ) କରି କାର୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତା’ ସାଙ୍ଗକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ସମୟୋଚିତ ଭାବରେ ଡବ୍ଲୁଓଡିସି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକୁ ସମାପ୍ତ କରି କାର୍ଯ୍ୟ ସମାପ୍ତ ସାର୍ଟିଫିକେଟ ଏବଂ ବିନିଯୋଗ ସାର୍ଟିଫିକେଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.