
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଅଞ୍ଚଳର ଲୋକଙ୍କ ସହ ଦେଖା ସାକ୍ଷାତ କରି ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ମୋ ସରକାର ମାଧ୍ୟମରେ “ମୋ ନିବେଦନ” କାର୍ଯ୍ୟକ୍ରମରେ ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବ୍ଲକର ଲୋକମାନେ ଆସି ନିଜ ନିଜର ସମସ୍ୟା ଏବଂ ଅଞ୍ଚଳର ବହୁମୁଖୀ ସମସ୍ୟା ଉପରେ ଦୃଷ୍ଟି ଆରୋପ କରିଥିଲେ । ବାଚସ୍ପତି ଶ୍ରୀ ପାତ୍ର ମହୋଦୟ ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସରକାରଙ୍କ ସହ ଏକ ଭିଡିଓ କନଫେରେନ୍ସ କାର୍ଯ୍ୟକ୍ରମ ରହିଥିବା ନେଇ ଏଠାରେ ପହଞ୍ଚି ଏହାର ଅବ୍ୟାବହିତ ସମୟ ପୂର୍ବରୁ ମୋ ସରକାର କକ୍ଷରେ ଲୋକଙ୍କୁ ସାକ୍ଷାତକାର କରି ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ପ୍ରଗତି ସମ୍ପର୍କରେ ଅବଗତ ହୋଇଥିଲେ ଏବଂ ଲୋକଙ୍କ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ମଧ୍ୟ ଅଭିଯୋଗ ଶୁଣିଥିଲେ ।