ଦୁର୍ଦ୍ଦିନରେ ସଢୁଛନ୍ତି ଗଞ୍ଜାମ ଚାଷୀ

ପଞ୍ଜିକୃତ ସମସ୍ତ ଚାଷୀ ଓ ଭାଗ ଚାଷୀଙ୍କ ଧାନ ତୁରନ୍ତ କିଣିବା ଓ କ୍ଷତିପୂରଣ ଦେବା ଦାବୀ ନେଇ ବିକ୍ଷୋଭ
• ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ପ୍ରଶାସନକୁ ଚେତାବନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପଞ୍ଜିକୃତ ସମସ୍ତ ଚାଷୀ ଓ ଭାଗ ଚାଷୀଙ୍କ ଧାନ ତୁରନ୍ତ କିଣିବା ଓ ଚାଷୀଙ୍କ ବିଭିନ୍ନ କ୍ଷତିପୂରଣ ଦେବା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଋଷିକୂଲ୍ୟା ରୟତମହାସଭାର ସମ୍ପାଦକ ସିମାଞ୍ଚଳ ନାହାକଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ଚାଷୀ ବିକ୍ଷୋଭ ସମାବେଶରେ ଭାରତୀୟ କମ୍ୟୁନିଷ୍ଟ ପ୍ରାର୍ଥୀ ରାଜ୍ୟନେତା ଏନ୍. ନାରାୟଣ ରେଡ୍ଡୀ ଯୋଗଦେଇ ପ୍ରଶାସନକୁ ସମାଲୋଚନା କରି କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ । ଚାଷୀମାନେ ହେଉଛନ୍ତି, ଦେଶର ମେରୁଦଣ୍ଡ, ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ନ ବୁଝିବା, ଚାଷୀଙ୍କ ସମସ୍ୟା ସମାଧାନ ନ କରିବା ଘୋର ନିନ୍ଦନୀୟ ବିଷୟ ବୋଲି କହିଛନ୍ତି । ବାସ୍ତବିକ ଏ ସରକାର ପରିବର୍ତ୍ତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି । ଦୁର୍ଦ୍ଦିନରେ ସଡୁଛନ୍ତି ଗଞ୍ଜାମ ଚାଷୀ । ଧାନ କିଣାରେ ନିୟମିତ ହେଉନଥିବାରୁ ଜିଲ୍ଲାର ପ୍ରାୟ ୫ହଜାର ଧାନଚାଷୀଙ୍କ ଟୋକେନ୍‌ର ଅବଧି ସରି ତାହା ଲାପ୍ସ ହୋଇଗଲାଣି । ଏଥିପାଇଁ ଚାଷୀମାନେ ଜିଲ୍ଲାପ୍ରଶାସନକୁ ଦାୟୀ କରିଛନ୍ତି । ଏନେଇ ଘୋର ଉଦ୍‌ବେଗ ପ୍ରକାଶ କରି ଗୁରୁବାର ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶହସ୍ରାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଶାସନ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତରହି ନିରୀହ, ଗରିବ ଚାଷୀ, ମେହନତି, ଖଟିଖିଆ ଶ୍ରେଣୀର ଲୋକଙ୍କ କଥାକୁ ଆଦୌ ନ ବୁଝିବା ଏକ ଅଗଣତାନ୍ତ୍ରିକ ବୋଲି ମତପ୍ରକାଶ କରାଯାଇଛି । ଚାଷୀମାନେ ସୋସାଇଟି, ଯୋଗାଣ ବିଭାଗ, ମିଲର ପାଖକୁ ବାରମ୍ବାର ଯାଇ ହତାଶ ହୋଇ ବସିଛନ୍ତି । ଅଦିନିଆ ବର୍ଷା, ବାତ୍ୟା ଯୱାଦଭଳି, ବହୁ ଦୁର୍ବିପାକ ଆସି ଅନେକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ଷତିପୂରଣ ଚାଷୀଙ୍କୁ ମିଳିନାହିଁ, କି ଫସଲବୀମା ସହାୟତା ମଧ୍ୟ ମିଳିନାହିଁ । ଗମୁଧାନ ବୋଲି କହି କୁଇଣ୍ଟାଲ ପିଚ୍ଛା ଆଠ କିଲୋରୁ ୧୦କିଲୋ ଅଧିକା ଧାନ ପ୍ରଶାସନ ଠକି ନେଉଛନ୍ତି । ତେଣୁ ଗଞ୍ଜାମ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି ।ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦିଆଯାଇ ଭାଗଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବା, ସରକାରଙ୍କ ନିୟମ ମୁତାବକ ଚାଷୀଙ୍କ ଅଖା ଟଙ୍କା ଓ ଗାଡିଭଡା, ଲେବର ଖର୍ଚ୍ଚ ଆଦି ଦିଆଯିବା ପାଇଁ ଦାବୀ ହୋଇଛି । ଅଦନିଆବର୍ଷା ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜିଲ୍ଲାରେ ୯.୫ ହେକ୍ଟର ଧାନଫସଲ ବ୍ୟାପକ କ୍ଷତି ହୋଇଥିବା ବେଳେ ରାଜ୍ୟସରକାର କୌଣସି କ୍ଷତିପୂରଣ ଦେଇନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କ୍ଷୋଭର ସହ କୁହାଯାଇଛି । ତେଣୁ ଗଞ୍ଜାମ ଜିଲ୍ଲାରେ ଏହି କ୍ଷତିପୂରଣ ସାଂଗକୁ ଚାଷୀମାନେ ଫସଲବୀମା ପ୍ରିମିୟମ ଦେଉଥିଲେ ସୁଦ୍ଧା ସେମାନଙ୍କୁ ଫସଲବୀମା ସହାୟତା ମିଳିନଥିବା ଘୋର ଅନ୍ୟାୟ ବୋଲି କୁହାଯାଇଥିବା ବେଳେ ଫସଲବୀମା ସହାୟତା ପ୍ରଦାନ କରାଯିବା ନିମନ୍ତେ ଦୃଢ଼ ଦାବୀ ହୋଇଛି । ଜିଲ୍ଲାରେ କଞ୍ଚାଲଙ୍କା ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନା ଯୋଗାଇ ଦେବା ସହ ମାଙ୍କଡ଼, ବାରାହ ଆଦି ବନ୍ୟଜନ୍ତୁ ଆଦିର ପାଦୃଭାବ ଯୋଗୁ ରବି ଫସଲ ତଥା ଆମ୍ବ, ବେଲ, ପିଜୁଳି, ପଣସ, ସଜନା, କଦଳୀ ଆଦି ଫଳମୂଳ, ପନିପରିବା ଆଦି ବ୍ୟାପକ କ୍ଷତିଗ୍ରସ୍ତ ଘଟୁଛି । ତେଣୁ ବିଲ-ବାଡ଼ି ପଦର, ତୋଟା ଆଦିର ସୁରକ୍ଷା କରିବା ଓ ତାହାର ତଦାରଖ କରିବା ନିମିତ୍ତ ପ୍ରଶାସନ ମାଙ୍କଡ଼, ବାରାହ ଆଦି ବନ୍ୟଜନ୍ତୁ ମାନଙ୍କୁ ଅନ୍ୟ ଜଙ୍ଗଲ ଏବଂ ଅଭୟାରଣ୍ୟରେ ଛାଡିବାକୁ ଚାଷୀମାନେ ଦାବୀ କରିଛନ୍ତି । ଏସମସ୍ତ ଦାବୀ ଖୁବଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବୁ ବୋଲି ଚାଷୀମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.