ଅଧାପନ୍ତରିଆ ଡିଭାଇଡ୍‌ରେ ଫସିଲା ମିନି ଟ୍ରକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସହରର ମୁଖ୍ୟ ଛକ ଭାବେ ପରିଚିତ ଏନ.ଏ.ସି. ଛକ ଠାରୁ ଜାମୁଛକ ପର୍ୟ୍ୟନ୍ତ ପଡୁଥିବା ୫୭ନଂ ଜାତୀୟ ରାଜପଥର ସଂପ୍ରସାରଣ କାର୍ୟ୍ୟ ଦୀର୍ଘଦିନ ହେଲା ଅଧପନ୍ତରିଆ ଭାବେ ପଡି ରହିଛି ।ଫଳରେ ବାହାର ଅଞ୍ଚଳରୁ ଆସୁଥିବା ଅଧିକାଂଶ ଡ୍ରାଇଭର ଏହାକୁ ଭଲ ଭାବରେ ଠଉରେଇ ନପାରିବା ହେତୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଲକ୍ଷ୍ୟ କରାଯାଉଛି । ଗତକାଲି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ବୁଟୁପାଲି ପଟୁ ଆସୁଥିବା ଏକ ମିନିଟ୍ରକ ଡିଭାଇଡର ଉପରେ ଚଢ଼ିଯାଇ ଅଳ୍ପକେ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଆଗରୁ ଆସୁଥିବା ଏକ ଗାଡିର ହେଡ ଲାଇଟ୍ ଯୋଗୁଁ ଚାଳକ ରାସ୍ତାର ଡିଭାଇଡର ଟିକୁ ଦେଖି ନପାରିବାରୁ ତା ଉପରେ ମିନି ଟ୍ରକଟି ଚଢି ଯାଇଥିଲା । ସନ୍ଧ୍ୟା ସମୟରେ ରାସ୍ତା ପ୍ରବଳ ଗହଳି ଥିବା ସତ୍ବେ ସୌଭାଗ୍ୟବଶତଃ ଅନ୍ୟ କୌଣସି ଯାତ୍ରୀ ଆହତ ହୋଇ ନଥିବା ଜଣାପଡିଛି । ଉକ୍ତ ରାସ୍ତାରେ ସମ୍ପୂର୍ଣ୍ଣ ଡିଭାଇଡର ଲଗାଯିବା ପ୍ଲାନ ମୂଳରୁ ରହିଥିଲା ଓ ସେଥିପାଇଁ ଅର୍ଥ ବ୍ୟବସ୍ଥା ମଧ୍ୟ ଥିଲା । ଜାନୁଆରୀ ମାସ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଏ ରାସ୍ତାକୁ ଉଦଘାଟନ କରିବେ ବୋଲି ଡିଭାଇଡର ଲଗା କାମ ଦିନରାତି ଜୋରସୋର ଚାଲିଥିଲା । କିଛି କାମ ହୋଇଥିବା ବେଳେ କିଛି ପ୍ରଭାବଶାଳୀ ଲୋକ ବିରୋଧ କରି ଚାପ ପକାଇ କାମ ବନ୍ଦ କରାଇଥିଲେ ଓ ଆଜିଯାଏଁ ସେଭଳି ପଡି ରହିଛି । ଅଧାପଂତରିଆ କାମ ଯୋଗୁଁ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣା ଏ ରାସ୍ତାରେ ଘଟି ଚାଲିଥିବା ବେଳେ ଡିଭାଇଡର କାମ ସମ୍ପୂର୍ଣ୍ଣ କରାଯିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!