jayashree

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଥାନା ସମ୍ମୁଖରେ ଶବ ରଖି କ୍ଷତି ପୂରଣ ଦାବୀରେ ଗ୍ରାମବାସୀଙ୍କ ଧାରଣା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲୁଥୁରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଡ଼ାପଦର ଗ୍ରାମର କୈଳାଶ ବାଗ ରବିବାର ଦିନ ସିକେର ଗ୍ରାମକୁ ନିଜର ବାଇକ୍ ଯୋଗେ କୀର୍ତ୍ତନ ନାଚିବାକୁ ଯାଉଥିବା ବେଳେ ତୁଲାଙ୍ଗ ନିକଟରେ ଏକ ପିକ ଅପ୍ ଗାଡ଼ି ସଙ୍ଗେ ଧକ୍କା ହେବା ଯୋଗୁଁ ଗୁରୁତର ଅବସ୍ଥାରେ କୈଳାଶଙ୍କୁ ଟିଟଲାଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ପରିବାର ତଥା ଗ୍ରାମବାସୀମାନେ କୈଳାଶଙ୍କ ଶବକୁ ଟିଟଲାଗଡ ଥାନା ସମ୍ମୁଖରେ ରଖି କ୍ଷତି ପୂରଣ ଦାବୀରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଅନ୍ୟପଟେ ଏହି ଖବର ପାଇବା ପରେ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁ ଦାବୀ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡ଼ି ମାଲିକ ଓ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି । ଖବର ପାଇ ଲୁଥୁର୍ ବନ୍ଧ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ତିନି ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି ।

ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରପ୍ରକାଶ ଦେହୁରି ଧାରଣାସ୍ଥଳକୁ ଆସି ରେଡକ୍ରସ୍ ପାଣ୍ଠିରୁ ୧୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପରେ ତଥା ପୋଲିସ ପ୍ରସାଶନ ପକ୍ଷରୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହେବା ସହ ଶବକୁ ନେଇ ଗ୍ରାମକୁ ଗଲେ ଗ୍ରାମବାସୀ ।

Leave A Reply

Your email address will not be published.