ଘୁନସର ଛକରେ ମର୍ମନ୍ତୁଦ ଦୁର୍ଘଟଣା : ଗାଡି ଚାଳକ ମୃତ, ଦୁଇସାଙ୍ଗ ଗୁରୁତର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଲାଠୋର ରାସ୍ତାର ଘୁନସର ଛକ ନିକଟ ବୁଲାଣିରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଗାଡି ଚାଳକଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଥିବା ବେଳେ ଗାଡିରେ ବସିଥିବା ଦୁଇଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନ ୪ଟା ସମୟରେ ଲାଠୋରର ଉମେଶ ଦତ୍ତ (୨୬) ଏବଂ ତାଙ୍କର ଦୁଇସାଙ୍ଗ ଇନ୍ଦ୍ର ମେହେର(୨୬), ଟୁନୁ ଅଗ୍ରୱାଲ(୨୫) ଓଡି-୨୬-ଏଫ-୭୯୪୮ ସୁଜ୍‌କି ପ୍ରେସୋ ଗାଡିରେ ହରିଶଙ୍କରରୁ ଲାଠୋରକୁ ଫେରୁଥିଲେ । ଗାଡିଟି ଦୃତ ଗତିରେ ଯାଉଥିବା ବେଳେ ଘୁନସର ଛକଠାରେ ଭାରସାମ୍ୟ ହରାଇ ରାସ୍ତାର ଡାହାଣପଟରେ ଥିବା ଏକ ନିମ୍ବ ଗଛରେ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଗାଡିରେ ଲାଗିଥିବା ସୁରକ୍ଷା ବେଲୁନ ଫାଟିଯିବା ସହିତ ଗାଡି ସମ୍ପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଥିଲା । ଗାଡି ଚାଳକ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ସ୍ୱେଚ୍ଛାସେବୀ ପ୍ରବୀଣ ଅଗ୍ରୱାଲ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଡି ଭିତରୁ ଚାଳକଙ୍କ ସମେତ ଗାଡି ପଛ ସିଟ୍‌ରେ ବସିଥିବା ଦୁଇଜଣ ବନ୍ଧୁଙ୍କୁ ଉଦ୍ଧାର କରିଥିଲେ । ଗାଡି ଚାଳକଙ୍କ ମୁଣ୍ଡ, ହାତ, ଗୋଡରେ ଗଭୀର ଆଘାତ ଲାଗିବା ସହିତ ଫୁସ୍‌ଫୁସ୍‌ କଣା ହୋଇ ରକ୍ତ ବାହାରିଥିଲା । ଗାଡି ପଛରେ ବସିଥିବା ଲାଠୋରର ପ୍ରଦୀପ ଅଗ୍ରୱାଲଙ୍କ ପୁଅ ଟୁନୁ ଅଗ୍ରୱାଲ ଏବଂ ପିପଲବାହାଲ ଗ୍ରାମର ଶତ୍ରୁଘ୍ନ ମେହେରଙ୍କ ପୁତ୍ର ଇନ୍ଦ୍ର ମେହେର ଗୁରୁତର ଥିବା ବେଳେ ତାଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା । ଉମେଶଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସାଧିନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ପକ୍ଷରେ ଦୁଇବନ୍ଧୁ ଟୁନୁ ଏବଂ ଇନ୍ଦ୍ରଙ୍କର ଗୋଡ ଭାଙ୍ଗିଯିବା ସହିତ ମୁହଁ, ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି । ଖପ୍ରାଖୋଲ ଥାନା ପୋଲିସ ଟିମ୍‌ ଏବଂ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରଥମେ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିଲେ । ପରେ ଲାଠୋର ପୋଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କର ତଥ୍ୟ ନେଇଥିଲେ । ପରେ ଗୁରୁତର ଥିବା ଇନ୍ଦ୍ର ଏବଂ ଟୁନୁଙ୍କୁ ଚିକିତ୍ସା ପାଇଁ ରାୟପୁର ଏବଂ ନୂଆପଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ମୃତ ଉମେଶ ଦତ୍ତ ଲାଠୋର ଗ୍ରାମର ଭୁବନେଶ୍ୱର ଦତ୍ତଙ୍କ ପୁଅ ବୋଲି ଜାଣିବାକୁ ମିଳିଛି । ଉମେଶଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.