ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର

ବୌଦ୍ଧ, (ମମତା ମହାକୁର) : ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ଅପରାହ୍ନ ସମୟରେ ବାଇକ ଓ ମାରୁତି ଓମିନି ମଧ୍ୟରେ (ଓଡି ୦୩ଡି ୮୫୮୬) ମୁହାଁମୁହିଁ ଧକ୍କା ହୋଇ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡ଼ଯୋର ଗ୍ରାମର ରାମ ନାଥ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ମନମୁଣ୍ଡା ଥାନା ଅନ୍ତର୍ଗତ ପଲଶାଗୋରାରେ ଥିବା ମା’ ମାହେଶ୍ୱରୀ ପେଟ୍ରୋଲ ପମ୍ପ ନିକଟସ୍ଥ ଧାନଖଣ୍ଡି ଛକ ପାଖରେ ଏକ ଓମିନି ସହ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ଜଣକ ଛିଟିକି ପଡି ଗୁରୁତର ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ୍‌ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ପଠାଇଥିଲେ । ସେହିପରି ଗୁଡଭେଲିପଦର ନିକଟ ଖଜୁରୀ ବନ୍ଧ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁଡଭେଳିପଦର ଗ୍ରାମର ରାକେଶ ନାଏକ ତାଙ୍କ ପତ୍ନୀଙ୍କ ସହ ମନମୁଣ୍ଡା ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ମନହରପୁର ଗ୍ରାମର ରଞ୍ଜିତ କଲତା ନିଜ ପୁଅ ସହ ଆସୁଥିବା ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ରାକେଶ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ମନମୁଣ୍ଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

Leave A Reply

Your email address will not be published.