ନିର୍ବାଚନ ଡିଉଟିରୁ ଫେରିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଶିକ୍ଷକ ସୁଦାମ ଚରଣ ପୁରୋହିତ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ନିର୍ବାଚନ ଡିଉଟି ସାରି ଫେରୁଥିବା ସମୟରେ ସଇଁନ୍ତଲା ଗୋଏଲଭାଡି ଛକରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ କୁଆରଗାଁ ରାଧାକ୍ରିଷ୍ଣା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ସୁଦାମ ଚରଣ ପୁରୋହିତ(୫୦)ଙ୍କୁ ଟିଟିଲାଗଡରେ ନିର୍ବାଚନ ଡିଉଟି ପଡିଥିଲା । ତେବେ ଗତକାଲି ଖୋଲାନ୍‌ ଗ୍ରାମରେ ପଞ୍ଚମ ପର୍ଯ୍ୟାୟରେ ପ୍ରିଜାଇଡିଂ ଅଫିସର ଭାବରେ ଠିକ୍‌ ଠାକ୍‌ ମତଦାନ କରାଇବା ପରେ ଭୋଟ ବାକ୍ସକୁ ଟିଟିଲାଗଡ ବ୍ଲକରେ ଜିମାଦେଇ ବାଇକ୍‌ ଯୋଗେ ସଇଁନ୍ତଲା ଅନ୍ତର୍ଗତ ନିଜଗାଁ ଛନ୍‌ଛଡାକୁ ଫେରୁଥିଲେ । ଟିଟିଲାଗଡ-ସଇଁନ୍ତଲା ରାସ୍ତାରେ ଆସି ଗୋଏଲଭାଟି ଛକଠାରୁ ରାସ୍ତାକାଟି ଆଉ ୧୦ କିଲୋମିଟର ଯାଇଥିଲେ ନିଜ ଗାଁକୁ ପହଞ୍ଚି ଯାଇଥାନ୍ତେ । କିନ୍ତୁ ହଠାତ୍‌ ଅଜଣାଗାଡି ଧକ୍କାରେ ତାଙ୍କ ଜୀବନ ଚାଲିଯାଇଥିଲା । ସୂଚନାଯୋଗ୍ୟ ଯେ, ଆଗରୁ ଛିଡା ହୋଇଥିବା ଏକ ପୋଲିସ ଭ୍ୟାନରେ ଧକ୍କା ହୋଇ ସୁନାମ ଚରଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ତେବେ ଦୁର୍ଘଟଣାର ସଠିକ୍‌ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ନିର୍ବାଚନ ଡିଉଟି ସାରି ଫେରୁଥିବା ସମୟରେ ତାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କାରଣରୁ ତାଙ୍କୁ ରାଜ୍ୟ ସରକାର ତଥା ନିର୍ବାଚନ କମିଶନ ପକ୍ଷରୁ କ୍ଷତି ପୂରଣ ପାଇଁ ଶିକ୍ଷକ ସଂଘ ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.