୪ ବର୍ଷ ତଳେ ସଫେଇ ବେଳେ ଭାଂଗି ଯାଇଥିଲା ଡ୍ରେନ୍‌, ଆଉ ମରାମତି ହେଲାନି : ଏବେ ଭଂଗା ଡ୍ରେନ୍‌ ପାଲଟିଛି ଡଷ୍ଟ୍‌ବିନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪ ବର୍ଷ ତଳେ ବଲାଙ୍ଗିର ପୌରପାଳିକା ପକ୍ଷରୁ ଜେସିବି ଦ୍ୱାରା ଡ୍ରେନ୍‌ ସଫେଇ ଚାଲିଥିବା ବେଳେ ଭାଂଗି ଯାଇଥିଲା ଡ୍ରେନ୍‌ । କିନ୍ତୁ ଭଂଗା ଡ୍ରେନ୍‌ ଆଉ ମରାମତି ହେଲାନାହିଁ । ସ୍ଥାନୀୟ ଲୋକେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଗୁହାରି କରି କରି ହାଲିଆ ହୋଇ ପଡ଼ିଥିଲେ ସୁଦ୍ଧା ସଜଡ଼ା ହୋଇ ପାରିଲାନି ଭଂଗା ଡ୍ରେନ୍‌ । ଏବେ ଏହି ଭଂଗା ଡ୍ରେନ୍‌ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇ ଡଷ୍ଟବିନ୍‌ରେ ପରିଣତ ହୋଇ ସାରିଲାଣି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ବଲାଙ୍ଗିର ସହରର ୱାର୍ଡ ନଂ.୭ ଅନ୍ତର୍ଗତ ସମ୍ବଲପୁର ରୋଡ଼ର ସାଇକୃପା ହୋଟେଲ ସାମ୍‌ନାରେ । ଅନ୍ୟପକ୍ଷରେ ଆସନ୍ତା ବର୍ଷାଋତୁକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରେନ୍‌ ସଫେଇକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ଭଂଗା ଡ୍ରେନ୍‌ ପ୍ରତି କାହାରି ନଜର ପଡ଼ୁ ନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଡ୍ରେନ୍‌ ଭାଂଗି ଯାଇଥିବା କାରଣରୁ ବର୍ଷାଋତୁରେ ଏଠାରେ ପାଣି ଜମି ରାସ୍ତା ଉପରେ ଆଂଠୁଏ ନର୍ଦ୍ଦମା ପାଣି ଭାସୁଥିବା ଲୋକେ କହିଛନ୍ତି । ତେବେ ତୁରନ୍ତ ଏହି ଭଂଗା ଡ୍ରେନ୍‌କୁ ମରାମତି କରାଯିବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.