jayashree

ବିଜେପୁରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

  • ଦିବ୍ୟାଙ୍ଗଙ୍କ ପ୍ରଗତି ପାଇଁ ଉପଯୁକ୍ତ ସ୍ନେହ ଶ୍ରଦ୍ଧା ଆବଶ୍ୟକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଡ଼ିଆରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରିବାକର ବରିହା, ପୂର୍ଣ୍ଣଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଉପଯୁକ୍ତ ସ୍ନେହ, ଶ୍ରଦ୍ଧା ସହ ପ୍ରୋତ୍ସାହନ ଦେଲେ ଦିବ୍ୟାଙ୍ଗମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହେବ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ଧୂମାପାଲି ସ୍କୁଲର ଛାତ୍ର କ୍ଷୀର ସିନ୍ଧୁ ମଲ୍ଲିକ ସଂଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଚାରପାଲି ସେବାଶ୍ରମର ଛାତ୍ରୀ ଶ୍ରୀୟା କୁମ୍ଭାରଙ୍କ ଦ୍ଵାରା ପରିବେଷିତ ନୃତ୍ୟରେ ଦର୍ଶକ ବିମୋହିତ ହୋଇଥିଲେ । ଜାରିଂ ସିଆରସିସି ରାଜେଶ୍ଵର ବେହେରା ସମାରୋହକୁ ସଂଯୋଜନା କରିଥିଲେ । ବଡବାଉଁଶେନ ସିଆରସିସି ଦୁର୍ବାଦଳ ବଡଗୋଛିଆ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିଗଣ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ । ୧୨ଟି କ୍ଲଷ୍ଟରରୁ ଆସିଥିବା ଦିବ୍ୟାଙ୍ଗ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଆରଟି ଜନାର୍ଦ୍ଦନ ବାରିକ ଓପ୍ରଶାନ୍ତ ଗଡତୀୟାଙ୍କ ସମେତ ହେମନ୍ତ କୁମାର ଆରୁକ, ପ୍ରକାଶ ମହାନନ୍ଦ, ଶରତ ପଧାନ, ନବୀନ କୁମାର ସାହୁ, ପ୍ରଭାତ ରଞ୍ଜନ ସାହୁ, ତ୍ରିନାଥ ସେଠ, ଡୋଳାମଣି କୁମ୍ଭାର ପ୍ରମୁଖ ସିଆରସିସିମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.