ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଯୋଧ୍ୟରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ସାରା ଦେଶ ଉତ୍ସବ ମନାଉଥିବା ବେଳେ ଟିଟିଲାଗଡ଼ ସହରରେ ମଧ୍ୟ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ହୋମ ଯଜ୍ଞ ଆୟୋଜନ କରାଯାଇଥିଲା । ସେହିପରି ସଂଧ୍ୟା ବେଳକୁ ହାଟପଦା ପଡ଼ା ସଙ୍କଟ ମୋଚନ ହନୁମାନ ମନ୍ଦିର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରାଯାଇ ବୀର ହନୁମାନଙ୍କ ଆଳତି କରିବା ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି ଅବସରରେ ସଙ୍କଟ ମୋଚନ ହନୁମାନ ମନ୍ଦିର କମିଟି ସଦସ୍ୟଙ୍କ ଦ୍ଵାରା ହନୁମାନ ଚାଳିଶା ଭକ୍ତଙ୍କୁ ବଣ୍ଟା ଯାଇଥିଲା । ମନ୍ଦିର ପରିସର ଜୟ ଶ୍ରୀରାମ ଧ୍ୱନିରେ କମ୍ପି ଉଠିଥିଲା । ଏହି ସମୟରେ ୱାର୍ଡ ନମ୍ବର ୧୫ ପୁରୁଣା ରେଳ ଫାଟକ ଗଳିର ବାସିନ୍ଦାମାନେ ଏକ ଶୋଭାଯାତ୍ରାରେ ବାହାରି ଏହି ସଙ୍କଟ ମୋଚନ ହନୁମାନ ମନ୍ଦିର ନିକଟକୁ ଆସି ପ୍ରଭୁଙ୍କ ଦର୍ଶନ ଲାଭ କରି ପ୍ରଭୁଙ୍କ ଭଜନରେ ନାଚି ନାଚି ପୁଣି ଫେରିଥିଲେ । ସେଠାରେ ମଧ୍ୟ ପୂଜାର୍ଚ୍ଚନା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଏଥିରେ ପଡ଼ାର ସମସ୍ତ ପରିବାର ସଦସ୍ୟ ଯୋଗଦେଇ ଏହି ଉତ୍ସବକୁ ସଫଳ ମଣ୍ଡିତ କରିଥିଲେ । ସେହିପରି ରଘୁନାଥ ପଡ଼ା ରାଧାକୃଷ୍ଣ ମନ୍ଦିରରେ ମହିଳାଙ୍କ ମାନେ ଭଜନ ଜଣାଣ ସହ ହନୁମାନ ଚାଳିଶା ପାଠ କରିଥିଲେ । ମନ୍ଦିର କମିଟି ଦ୍ଵାରା ଛପନ ଭୋଗର ଆୟୋଜନ କରାଯିବା ସହ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି କିଛି ପରିବାର ନିଜର କାର ମାଧ୍ୟମରେ ଡିଜେର ତାଳେ ତାଳେ ପ୍ରଭୁ ଶ୍ରୀରାମଙ୍କ ଭଜନରେ ପତାକା ଦେଖାଇ ସହର ପରିକ୍ରମା କରିଥିଲେ । ପ୍ରକୃତରେ ଦିନ ତମାମ ଟିଟିଲାଗଡ଼ ସହର ରାମମୟ ହୋଇଯାଇଥିଲା ।