jayashree

ସାପ୍ତାହିକ ଦୀନ୍‌ଦୟାଲ ମେଲ୍‌ର ୨୫ତମ ସ୍ୱ – ନକ୍ଷତ୍ର ଦିବସ ପାଳିତ

  • ସମାଜ ପ୍ରତି ସାମ୍ବାଦିକମାନଙ୍କର ଗୁରୁ ଦାୟିତ୍ୱ ରହିଛି : ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ସହରରୁ ପ୍ରକାଶ ପାଉଥିବା ଓଡିଆ ସାପ୍ତାହିକ ସମ୍ବାଦପତ୍ର ଦୀନ୍‌ଦୟାଲ୍‌ ମେଲ୍‌ର ୨୫ତମ ସ୍ୱ – ନକ୍ଷତ୍ର ଉତ୍ସବ ରାଉରକେଲା ସହରର ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ସମାଜ ଗଠନରେ ସାମ୍ବାଦିକମାନଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ । ସେ ବିଧାୟକ ହେବା ପରଠାରୁ ନିୟମିତଭାବେ ସାମ୍ବାଦିକମାନଙ୍କ ସହିତ ଯୋଗାଯୋଗରେ ରହି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସୂଚନା ପାଇଥିବା ତାଙ୍କୁ ତାଙ୍କ ରାଜନୀତିରେ ସହାୟତା କରୁଛି ବୋଲି ଶ୍ରୀ ତନ୍ତୀ ଉଲ୍ଲେଖ କରିଥିଲେ । ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭର ମାନ୍ୟତାପ୍ରାପ୍ତ ଗଣମାଧ୍ୟମ ସର୍ବଦା ଅନ୍ୟ ତିନୋଟି ସ୍ତମ୍ଭ ମଧ୍ୟରେ ସମନ୍ୱୟ ଓ ସୌହାର୍ଦ୍ଦ୍ୟ ରକ୍ଷା ଦିଗରେ କାର୍ଯ୍ୟ କରିବା ସହ ସରକାର ଓ ପ୍ରଶାସନର ଦୋଷ ଦୁର୍ବଳତାକୁ ଲୋକ ଲୋଚନକୁ ଆଣିବା ପାଇଁ ଚେଷ୍ଟାରତ ନିମନ୍ତେ ସେ ଆହ୍ୱାନ ଦେଇଥିଲେ । ୧୯୯୯ ମସିହା ନଭେମ୍ବର ୨୨ ତାରିଖରେ ଦୀନ୍‌ଦୟାଲ ମେଲ୍‌ର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା ଏହାପରଠାରୁ ଅନେକ ଘାତପ୍ରତିଘାତର ସାମନା କରି ସୁଦ୍ଧା ଏହାର ପ୍ରକାଶନ ଜାରି ରଖି ୨୫ତମ ବର୍ଷରେ ପହଂଚିଛି ବୋଲି ସମ୍ବାଦପତ୍ରର ସମ୍ପାଦକ ଶିବଶରଣ ମିଶ୍ର ସୂଚନା ଦେଇଥିଲେ । ଶ୍ରୀ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସକାଳ ଦୈନିକ ଖବର କାଗଜର ସ୍ଥାନୀୟ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ସମାଜ ଖବରକାଗଜର ସାମ୍ବାଦିକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା, ଓଟିଭିର ରାଉରକେଲା ବ୍ୟୁରୋ ମୁଖ୍ୟ ପୱନ ତିୱାରୀଙ୍କ ସମେତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ମହେନ୍ଦ୍ର ମିଶ୍ର ଯୋଗଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ପଟ୍ଟନାୟକ ନିଜର ବକ୍ତବ୍ୟରେ ପ୍ରତ୍ୟେକ ସାମ୍ବାଦିକ ନିଜକୁ ସ୍ୱୟଂସମ୍ପୂର୍ଣ୍ଣ ଭାବି ଖବର ଉପରେ ଗୁରୁତ୍ୱ ଦେବା ସହିତ ସତ୍ୟକୁ ସାମ୍ନାକୁ ଆଣିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ସମ୍ବାଦପତ୍ରରେ ପ୍ରକାଶିତ ସମ୍ବାଦର ଗୁରୁତ୍ୱ ସମ୍ପର୍କରେ ଉଦାହରଣ ଦେଇ ଆଲୋଚନା କରିଥିଲେ । ଶ୍ରୀ ତିୱାରୀ ନିଜର ବକ୍ତବ୍ୟରେ ସାମ୍ପ୍ରତିକ ପ୍ରତିଯୋଗିତା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଦାୟିତ୍ୱ ସମ୍ପନ୍ନ ଓ ବିଶ୍ୱସନିୟତାକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ର୍ବମାନ ସମୟରେ ଓଡିଆ ମୁଦ୍ରିତ ଗଣମାଧ୍ୟମର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଦୀର୍ଘ ୨୫ ବର୍ଷ ଧରି ଦୀନ୍‌ଦୟାଲ ମେଲ୍‌ ସାପ୍ତାହିକ ପ୍ରକାଶନ ଜାରି ରଖିବା ଏକ ବଡ ଆହ୍ୱାନ ବୋଲି କହିଥିଲେ । ମୁଖ୍ୟଅତିଥି ଏବଂ ଅନ୍ୟ ଅତିଥିଙ୍କ ଦ୍ୱାରା ଦୀନ୍‌ଦୟାଲ ମେଳର ୨୫ତମ ସ୍ୱନକ୍ଷତ୍ର ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଦୀନ୍‌ଦୟାଲ୍‌ ମେଲ୍‌ରେ କାର୍ଯ୍ୟରତ ୭ଜଣ ମହିଳା ପ୍ରତିନିଧିଙ୍କୁ ସ୍ୱତନ୍ତ୍ରଭାବେ ଏବଂ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ଦୀନ୍‌ଦୟାଲ ମେଲ୍‌ ପରିବାରର ସନ୍ତୋଷ କୁମାର ପ୍ରଧାନ, ଜଗବନ୍ଧୁ ଗୟାନ, ପ୍ରକାଶ ମହାକୁଳ, ଅବିନାଶ ପୁହାଣ, ଅମିୟ କୁମାର ମହାରଣା, ଜ୍ୟୋତି କ୍ରିଷ୍ଣ ମିଶ୍ର ଏବଂ ମୁଦ୍ରାକର ସୁପ୍ରଭା ମିଶ୍ର ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.