jayashree

ସ୍ୱାସ୍ଥ୍ୟକର ଜୀବନ ପାଇଁ ପ୍ରକୃତି ସହ ସମରସତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରକୃତି ପ୍ରେମୀମାନେ ସ୍ୱାସ୍ଥ୍ୟକର ଜୀବନ ପାଇଁ ପ୍ରକୃତି ସହ ଏକିଭୂତ ହେବାର ସୁନ୍ଦର ଏକ ସଚେତନ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଏଥିରେ ସ୍ୱାସ୍ଥ୍ୟ ପାଇଁ ପ୍ରକୃତିର ସ୍ପର୍ଶକୁ କଲ୍ୟାଣକାରୀ ଭାବେ ବିବେଚନା କରାଯାଇଛି । ଆମେ ପ୍ରାକୃତିକ ପରିବେଶରେ ସ୍ୱତଃ ଖୁସି ଅନୁଭବ କରିଥାଉ । ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଚତୁର୍ଦ୍ଦିଗରେ ରହିଥିବା ପରିବେଶର ପ୍ରାକୃତିକ ଆରୋଗ୍ୟ ଶକ୍ତିକୁ ଅନୁଭବ କରାଯିବା ଲକ୍ଷରେ ଏହା ଏକ ଅଭିନବ କୌଶଳ । ନିଜର ବ୍ୟସ୍ତ ବହୁଳ କାର୍ଯ୍ୟଠାରୁ ଅଲଗା ହୋଇ କିଛି ମୁହୂର୍ତ୍ତ ପ୍ରାକୃତିକ ପରିବେଶ ମଧ୍ୟରେ ରହିବା ଏବଂ ପ୍ରକୃତିର ଚମତ୍କାରତାକୁ ଅନୁଭବ କରବା ଆବଶ୍ୟ । ଡିଜିଟାଲ୍ ଦୁନିଆରୁ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ରହିବା ସହିତ ପ୍ରକୃତି ସହ ନିଜକୁ ହଜାଇ ଦେବାରେ ଯେଉଁ ପରମ ଆନନ୍ଦ ମିଳେ ତାହା ସାମୟିକ ଉପଭୋଗ କରିବା ପାଇଁ ଏହି ଦିବସ ପାଳନ ଏକ ସୁଯୋଗ ଅଟେ । ଆମ ମାନସିକ ସ୍ୱାସ୍ଥ୍ୟ ପାଇଁ ପ୍ରକୃତିର ସହାବସ୍ଥାନ ଏକାନ୍ତ ଜରୁରି । ଆମର ଦୈନନ୍ଦିନ ବ୍ୟସ୍ତ ବହୁଳ ଜୀବନରେ ଅନେକ ଛୋଟ ଛୋଟ କାର୍ଯ୍ୟକୁ ଭୁଲିଯାଉ । ପ୍ରତିଦିନ ସକାଳରେ କିଛି ସମୟ ବୁଲିବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭ ଜନକ ହୁଏ, ତେବେ ତାକୁ ଭୁଲିଯାଉ ବା ଅବହେଳା କରିଥାଉ । ଏହି ଦିନ, କିଛି ସୁଶିତଳ ସତେଜ ପବନ ପାଇଁ ବାହାରକୁ ଯାଇ ପରିବେଶର ପ୍ରାକୃତିକ ଆରୋଗ୍ୟ ଶକ୍ତି ଅନୁଭବ କରିବା । ଏକାକୀ କିମ୍ବା ପ୍ରିୟଜନଙ୍କ ସହିତ ହେଉ, ପ୍ରକୃତି ଗହଣରେ କିଛି ସମୟ ଅତିବାହିତ କରିବା ଦ୍ୱାରା ମାନସିକ ତଥା ଶାରୀରିକ ଶାନ୍ତି ଏବଂ ଶକ୍ତି ମିଳି ପାରିବ । ସ୍ୱାସକ୍ରିୟା ଜନିତ କିଛି ଆସନ ପ୍ରାଣାୟମ ଅଭ୍ୟାସ କରି ନିଜର ଆଭ୍ୟନ୍ତରୀଣ ଆତ୍ମକୁ ସାମୟିକ ସାନ୍ତ୍ଵନା ଦିଅନ୍ତୁ । ଏହା ପାଞ୍ଚ ମିନିଟ୍ ସମୟ ଅବଧି ବି ହୋଇପାରେ । ସ୍ୱାସ୍ଥ୍ୟର ସୁସ୍ଥତା ଏବଂ ଶକ୍ତି ଉଭୟ ହାସଲ ପାଇଁ ଏହା ସହାୟକ ହୋଇ ଥାଏ । ଆଜିର ଦୁନିଆ ବିଭିନ୍ନ ବିଭ୍ରାନ୍ତ ଅବସ୍ଥାରେ ପରିପୂର୍ଣ୍ଣ । ମୋବାଇଲ୍ ଫୋନ୍‌ଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ସାଧାରଣ ଲୋକ ଭୟାବହ ଆକାରରେ ଏହାର ପ୍ରତିକ୍ରିୟାର ସମ୍ମୁଖୀନ ହେଉଛନ୍ତି । ଏହି କ୍ରମାଗତ ଏକ୍ସପୋଜ୍‌ର ହେତୁ ଧ୍ୟାନ କୈନ୍ଦ୍ରୀୟତା ହେବା କଷ୍ଟକର ହେଉଛି । ତାହା ଚିନ୍ତା ଏବଂ ମାନସିକ ଚାପ ସୃଷ୍ଟି କରୁଛି । ଆମର ସାଧାରଣ ନିଦ୍ରା ଉପରେ ମଧ୍ୟ ପ୍ରଭାବ ପକାଉଛି । ପୃଥିବୀ ଆମର ପ୍ରକୃତ ମାତା ତେଣୁ ତାଙ୍କୁ ଆମର ହୃଦୟ ଏବଂ ପ୍ରାଣ ସହିତ ଭଲ ପାଇବା । ଆମେ ପ୍ରକୃତି ସହିତ ସୈହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କରେ ରହିବା । ବୃକ୍ଷଲତା ଗୁଡିକ ଆମର ଦୂର ସମ୍ପର୍କୀୟ ଭାଇଭଉଣୀ ଭଳି ଅଟନ୍ତି ।

Leave A Reply

Your email address will not be published.