ଏକତ୍ର ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ତୃତୀୟ ଦିବସ

  • ସଂକଳ୍ପର ସଦଗତି ଓ ସାରନା ନବ ଯୁବକ ସଂଘର ଚନ୍ଦ୍ରାଦିତ୍ୟ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ତୃତୀୟ ଦିବସରେ ଦୁଇଟି ନାଟକ ମଞ୍ଚସ୍ଥ ହୋଇଯାଇଛି । ପ୍ରଥମଟି ସଂକଳ୍ପ ପ୍ରାୟୋଜିତ ନାଟକ ସଦଗତି ଓ ଦ୍ୱିତୀୟଟି ସରନା ନବଯୁବକ ସଂଘର ଚନ୍ଦ୍ରାଦିତ୍ୟ । ସଦଗତି ନାଟକର କାହାଣୀ ହେଲା
ମଣିଷ ଜୀବନ କାହାପାଇଁ ମୂଲ୍ୟବାନ କାହାପାଇଁ ତୁଚ୍ଛ କିଏ ନିଜର ଭକ୍ତି ସେବା ଓ ନିଷ୍ଠା ପାଇଁ ପୁରସ୍କାର ପାଏ ତ କିଏ ପାଏ ତରସ୍କାର ଦୁଃଖ, ଦୁର୍ଦଶା । ଅଭାବ ଅନାଟନ ଭଳି ଦଶା ମଣିଷକୁ ତଳିତଳାନ୍ତ କରିଥାଏ କିନ୍ତୁ ସମାଜରେ ଏମିତିବି ଦଶା ଅଛି ଯାହାର ଜ୍ୱାଳାରେ ମଣିଷ ଶରୀର ଜାଳିପୋଡି ପାଉଁଶ ହୋଇଯାଏ । ଉଚ୍ଚନୀଚର ଭେଦଭାବ ଏମିତି ଏକ ଦଶା ଯାହା ନୀଚ ମଣିଷକୁ ପଶୁଠାରୁ ବି ହୀନ କରିଦିଏ । ଉଚ୍ଚ ବ୍ୟକ୍ତିର ନିଜର ସର୍ବସ୍ୱ ସିଦ୍ଧି ପାଇଁ ନୀଚ ବ୍ୟକ୍ତିର ଭକ୍ତି, ସେବାର ବଳିଦାନ ନିଏ । ସମାଜରେ ଉଚ୍ଚ ନୀଚର ବେଦଭାବ ଆଜି ମଧ୍ୟ ଗାଁ ଗହଳିରେ ମଣିଷ ମାନଙ୍କ ଜୀବନରେ ପ୍ରତିଫଳିତ ହେଉଛି । ଖାଲି ଗାଁ ଗହଳି ନୁହେଁ ସହର ଏବଂ ନଗରରେ ବସବାସ କରୁଥିବା ଧନୀ ଏବଂ ଗରିବ ଶ୍ରେଣୀରେ ଏହା ପ୍ରତିଫଳିତ ହେଉଛି । କାଳଜୟୀ ଗାଳ୍ପିକ ପ୍ରେମ ଚାନ୍ଦଙ୍କ ରଚିତ କାହାଣୀ ସତଗତି ମାଧ୍ୟମରେ ଜଣେ ନୀଚ ଶ୍ରେଣୀର ଗରିବ ଚମାର ଦୁଖିଆର ଭକ୍ତି, ନିଷ୍ଠା ଓ ସେବାର ପରିଣାମ ସ୍ୱରୂପ ତାକୁ କଣ ମିଳିଛି, ଏହି ଭଳି ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ ସଦଗତି । ଏହି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ କବି । ସେହିପରି ତୃତୀୟ ଦିବସରେ ଦ୍ୱିତୀୟ ନାଟକ ସରନା ନବଯୁବକ ସଂଘ ତରଫରୁ ଚନ୍ଦ୍ରାଦିତ୍ୟ ପରିବେଷଣ କରାଯାଇଥିଲା । ଚନ୍ଦ୍ରାଦିତ୍ୟ କାହାଣୀ ହେଉଛି ଆଦିତ୍ୟ, ଯିଏ ନିଜର ପ୍ରେମରେ ଅସଫଳ ହୋଇ ବାପାମା’ଙ୍କ ଇଚ୍ଛା ଅନୁସାରେ ବିବାହ କରିଛି । ହେଲେ ପୁଅଟିଏ ଜନ୍ମ ପରେ ସ୍ତ୍ରୀଙ୍କ ବିୟୋଗ ଘଟିଛି । ତେବେ ଉପଯୁକ୍ତ ଲାଳନ ପାଳନ କରି ପୁଅକୁ ଭଲ ମଣିଷ ଟିଏ କରିଛି । ତେବେ ପୁଅ ନିଜ ଇଚ୍ଛାରେ ବିବାହ କରିଛି ବିଦେଶରେ । ଆଦିତ୍ୟ ନିସଙ୍ଗତା ଅନୁଭବ କଲାବେଳେ ପୁଣି ଭେଟିଛି ନିଜର ପୁରୁଣା ପ୍ରେମିକା ଚନ୍ଦ୍ରାଣୀକୁ । ପରେ ସେ ପୁଅକୁ ଭେଟିବା ପାଇଁ ଆୟୋଜନ କରିଛି ମିଶନ ଚନ୍ଦ୍ରାଦିତ୍ୟ । ତେବେ ପୁଅ ମିତ୍ରଭାନୁ ବାପାଙ୍କୁ କରିଛି ଭର୍ତ୍ସନା । କିନ୍ତୁ ଶେଷରେ ଆଦିତ୍ୟଙ୍କ ତ୍ୟାଗ, ନିଷ୍ଠା ଆଗରେ ମିତ୍ରଭାନୁ କିପରି ହାର ମାନିଛି, ଏହାହିଁ ନାଟକର ବିଷୟବସ୍ତୁ । ଅଭିନୟରେ ପ୍ରତାପ କୁମାର ନାୟକ, ପ୍ରତ୍ୟୁଷା ସେଠୀ ଓ ସୌମ୍ୟରଞ୍ଜନ ସାହୁ ଅଭିନୟ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ କୁମାର ପଣ୍ଡା ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସାଲୁଖାମାଣ୍ଡି । ଆଜିର ଉଦଘାଟକ ଭାବେ ଆର୍‌ଏସ୍‌ପିର ପ୍ରାକ୍ତନ ମହାପ୍ରବନ୍ଧକ ଅଜିତ ମୋହନ ପୂଝାରୀ, ମୁଖ୍ୟଅତିଥି ଭାବେ ମୁଖ୍ୟ ମହାପ୍ରବନ୍ଧକ ବିଜୟ କୁମାର ଯୋଜୋ, ମୁଖ୍ୟଦର୍ଶକ ଭାବେ ଚ୍ୟାମ୍ବର ଅଫ୍ କମର୍ସର ପ୍ରାକ୍ତନ ଅଧ୍ୟକ୍ଷ ସୁନୀଲ କାୟାଲ ଯୋଗଦେଇଥିଲା ବେଳେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ସ୍ୱାଗତ ଭାଷଣ, ଏକତ୍ର ଉପଦେଷ୍ଟା ଭାସ୍କର ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଝିଲିମା ମହାନ୍ତି ମଞ୍ଚ ପରିଚାଳନା କରିଥିଲାବେଳେ ପ୍ରସନ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.