
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ହେଉଛି ୭୬ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଖପ୍ରାଖୋଲ ବ୍ଲକର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା । ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ସ୍ଥିତ ଖେଳପଡିଆ ଠାରେ ବ୍ଲକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୧୦ଟା ସମୟରେ ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସମାରୋହରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ସତ୍ୟ ରାଉତରାୟ, ଖପ୍ରାଖୋଲ ଅଧ୍ୟକ୍ଷା ନିରୁପମା ପଟେଲ, ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ, ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ଉପସ୍ଥିତ ରହିଥିଲେ । ଦେଶର ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ସମସ୍ତଙ୍କର ସହଯୋଗ ଓ ସମର୍ଥନ ରହିଛି, ଦେଶକୁ ସ୍ୱାଧୀନତା ଆଣିବାରେ ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସଂଘର୍ଷ ଓ ବଳିଦାନ ଦେଶକୁ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିପାରିଥିଲେ । ଦେଶକୁ ତଥା ରାଜ୍ୟ ଓ ଜିଲ୍ଲାକୁ କେମିତି ଆହୁରି ଆଗକୁ ନେବା ସେଥିପାଇଁ ସମସ୍ତ ନାଗରିକଙ୍କ ନିଜ ନିଜ ଦାୟିତ୍ୱ ରହିଛି ବୋଲି ତହସିଲଦାର ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଆୟୋଜିତ ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସ ପାଳନରେ ଅନୁଷ୍ଠିତ ପ୍ୟାରେଡରେ ଚଳିତ ବର୍ଷ ୮ଟି ଟ୍ରୁପ ସାମିଲ ହୋଇଥିବାବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି ସମାରୋହରେ ସହଯୋଗ କରିଥିଲେ ।