
- ଲୋହିଆ ଓ ଭଗତ ସିଂଙ୍କ ବିଚାର ଆଜି ମଧ୍ୟ ପ୍ରାସଙ୍ଗିକ
- ଭଗତ୍ ସିଂ-ଲୋହିଆ ବିଚାର ମଞ୍ଚ ପକ୍ଷରୁ ସ୍ମୃତିଚାରଣ ସଭା
ବ୍ରହ୍ମପୁର, (କେପିଏନ୍ଏସ୍) : ସହରର ଅଗ୍ରଣୀ ବୁଦ୍ଧିଜୀବୀ ଅନୁଷ୍ଠାନ ଭଗତ-ଲୋହିଆ ବିଚାର ମଞ୍ଚ ପକ୍ଷରୁ ସ୍ଥାନୀୟ ନବୀନ ଭବନ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୨୩ ତାରିଖ ୧୯୧୦ମସିହାରେ ଡ଼. ରାମ ମନୋହର ଲୋହିଆ ଉତ୍ତର ପ୍ରଦେଶର ଆକବରପୁର ଠାରେ ଜନ୍ମ ଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧିଙ୍କ ଭାରତ ଛାଡ଼ ଆନ୍ଦୋଳନର ଡାକରା କ୍ରମେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସେ ସମାଜବାଦ ଓ ସାମାଜିକ ନ୍ୟାୟର ପ୍ରତିଷ୍ଠା ପାଇଁ ଆଜୀବନ ଲଢେଇ କରିଛନ୍ତି । ଯୁଦ୍ଧ ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନରୁ ଡ଼. ଲୋହିଆଙ୍କୁ ୧୯୪୦ ମସିହାରେ ଗିରଫ କରାଯାଇଥିଲା । ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ୱ ନେଲାବେଳେ ୧୯୪୪ ମସିହାରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା । ଭାରତ ବିଭାଜନକୁ ସେ ଦୃଢ଼ ବିରୋଧ କରୁଥିଲେ । ସେ ମହିଳା ଓ ପଛୁଆ ବର୍ଗଙ୍କ ପାଇଁ ୬୦ପ୍ରତିଶତ ସିଟ୍ରେ ଆରକ୍ଷଣ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଜଣେ ମହାନ ସମାଜ ସୁଧାରକ ଥିଲେ । ସାତ ସ୍ତରରେ ଥିବା ଅସାମନତାକୁ ବିରୋଧ କରି ଆର୍ଥିକ ସମାନତା, ବ୍ୟକ୍ତିଗତ ଅଧିକାର, ରଙ୍ଗଗତ ବୈଷମ୍ୟତାର ବିଲୋପ, ଜାତୀୟ ସ୍ୱାଧୀନତା, ମହିଳାଙ୍କୁ ଉତଥାନ, ଜାତି ନିର୍ମୂଳତା ଓ ସଶସ୍ତ୍ର ସଂଘର୍ଷକୁ ଅସହଯୋଗ ଆଦି ସାତ ଗୋଟି ବ୍ୟବସ୍ଥା ଲୋହିଆଙ୍କ ସପ୍ତ କ୍ରାନ୍ତି ଭାବେ ଜଣାଶୁଣା । ସେହିଭଳି ଆଜିର ଦିନରେ ମହାନ ବିପ୍ଲବୀ ସହିଦ ଭଗତ ସିଂଙ୍କୁ ବ୍ରିଟିଶ ସରକାର ମିଥ୍ୟା କେସରେ ଛନ୍ଦି ଫାଶୀ ଦେଇଥିଲା । ଉଭୟ ଭଗତ ସିଂ ଓ ରାମ ମନୋହର ଲୋହିଆ ରାଷ୍ଟ୍ରର ପୁଞ୍ଜିବାଦୀ ଅର୍ଥନୀତି, ସାମ୍ରାଜ୍ୟବାଦୀ ଚରିତ୍ର, ଜାତିବାଦ, ସାମ୍ପ୍ରଦାୟିକ ଭୂମିକାକୁ ଦୃଢ଼ ବିରୋଧ କରିଛନ୍ତି ଓ ସମାଜବାଦ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ସଂଘର୍ଷ କରିଛନ୍ତି । ଏଣୁ ସମାଜବାଦ ଏକ ମାତ୍ର ବ୍ୟବସ୍ଥା ଆଜି ଭାରତବର୍ଷରେ ଜନଗଣଙ୍କୁ ସ୍ୱାଧୀନତା, ସମାନତା ଓ ମର୍ଯ୍ୟାଦାବନ୍ତ ଜୀବନ ଯାପନ ଦେଇ ପାରିବା ସହ ପ୍ରତ୍ୟେକଙ୍କ ଜୀବନ ଜୀବିକା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦେଇପାରିବ ବୋଲି ଆଜିର ସଭାରେ ମତ ପ୍ରକାଶ ପାଇଛି । ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜନୀତି ବିଭାଗ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ମୁଖ୍ୟ ବକ୍ତା ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ସମ୍ମାନିତ ଅତିଥି ଆଇନଜୀବି ଅବନୀ ଗୟା ମଞ୍ଚାସୀନ ଥିବାବେଳେ ଶିକ୍ଷକ ନେତା ତଥା ମଞ୍ଚର ସଂଯୋଜକ ଅଶୋକ ଦଳାଇ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଡ଼. ଡ଼ମ୍ବରୁଧର ସାହୁ, ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେବୀ ରାମକୃଷ୍ଣ ପାତ୍ର, ଏସ୍. ପ୍ରକାଶ ଚନ୍ଦ୍ର ପାତ୍ର, ନବୀନର ପ୍ରକାଶିକା ମଞ୍ଜୁ ରଥ, ସାମ୍ବାଦିକ ରଂଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ଆଲୋକ କୁମାର ସାବତ, କୈଳାସ ବେହେରା, ପ୍ରଶାନ୍ତ ଶତପଥୀ, କୁନା କୁମାର ବିଶୋୟୀ, ଅଜିତ ରାଉତ, ଅଭିମନ୍ୟୁ ନାୟକ, କେ. ସନ୍ତୋଷ କୁମାର ପାତ୍ର, ଦୀପ୍ତ ଶଙ୍କର ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ଗୌଡ଼, ହେମନ୍ତ କୁମାର ରଥ, ଉମାକାନ୍ତ ରଥ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସାହିତ୍ୟିକ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।