କଳାହାଣ୍ଡି, (କେପିଏନ୍ଏସ୍) : ଜୁନାଗଡ଼ ସ୍ଥିତ ସରକାରୀ ହାଇସ୍କୁଲରେ ସମ୍ଵିଧାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ଵିଧାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଣାଶୁଣା ଆଇନଜୀବୀ ତଥା ନୋଟାରୀ ବିଶ୍ୱନାଥ କର, ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ପ୍ରିୟବ୍ରତ ବାଣୁଆ, ଜନପ୍ରିୟ ନାରୀନେତ୍ରୀ ରମଣୀ ଦୁରିଆ ଓ ସ୍ଥାନୀୟ ବିଜ୍ଞାପିତ ପରିଷଦର ସଭ୍ୟା ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ହିମାଦ୍ରୀ ସିନ୍ଦୁର ପ୍ରମୁଖ ମଂଚାସୀନ ହୋଇ ସମ୍ଵିଧାନ ଓ ଆମ୍ବେଦକରଙ୍କ ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ଏ ଅବସରରେ ଭାରତୀୟ ସମ୍ବିଧାନ ଉପରେ ଆଧାରିତ ବକ୍ତୃତା, ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ବସୁନ୍ଧରା ଶୁକ୍ଳା, ବାସନ୍ତୀ ସାହୁ, ଆରୋହି ବାଗ, ପ୍ରିୟଙ୍କା ପାଢି, ସୌମ୍ୟରଞ୍ଜନ କୁଣ୍ଡୁ, ମନୋଜ ସାହୁ, ସବିତା ତାଣ୍ଡି, ଆୟୁଷ ଯାଦବ, ଭୁପେନ୍ଦ୍ର ବାଗଙ୍କୁ ପୁରସ୍କୃତ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମଳୟ କୁମାର ମୁଣ୍ଡ ଓ ସଂଜୀବ କୁମାର ପଣ୍ଡା ସଂଯୋଜନା କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀମାନଙ୍କ ନେତୃତ୍ୱରେ “ବନ୍ଦେ ଭାରତ” ନୃତ୍ୟ ପରିବେଷଣ କରାଯାଇଥିଲା । ଚିତ୍ତରଞ୍ଜନ ମହାନନ୍ଦ ଧନ୍ୟବାଦ ଦେଇଥିଲେ ଓ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।