ଆନ୍ତର୍ଜାତୀୟ ଇ-ଆବର୍ଜନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବୈଦ୍ୟୁତିକ-ବର୍ଜ୍ୟବସ୍ତୁ କିମ୍ବା ଇ-ଆବର୍ଜନା ହେଉଛି ଇଲେକ୍ଟ୍ରୋନିକ୍ ଦ୍ରବ୍ୟରେ ଗଠିତ ଯାହା ପୁରୁଣା, ଭଙ୍ଗା କିମ୍ବା ସେଗୁଡିକର ଉପଯୋଗିତା ଶେଷ ହୋଇଯାଇଛି । ଟେଲିଭିଜନ୍, କମ୍ପ୍ୟୁଟର, ଟେପ୍ ପ୍ଲେୟାର୍, ପ୍ରିଣ୍ଟର୍, ଭିସିଆର୍, ଗେମ୍ କନସୋଲ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଅନେକ ବର୍ଷ ଧରି କାହାର ବେସମେଣ୍ଟ କିମ୍ବା ଗ୍ୟାରେଜରେ ପଡି ରହିଯାଏ କିମ୍ବା ଅତ୍ୟନ୍ତ ପୁରୁଣା ଭଙ୍ଗା ଦଦରା ଏ ପ୍ରକାରର ଜିନିଷ ଏକ ଲ୍ୟାଣ୍ଡଫିଲରେ ପକାଯାଏ । ବର୍ଜ୍ୟବସ୍ତୁର ସ୍ତୁପ ଦ୍ରୁତ ଗତିରେ ବଢୁଥିବା ସମସ୍ୟା ଭାବରେ, ଇ-ଆବର୍ଜନା ପ୍ରତିବର୍ଷ ପ୍ରାୟ ୫୦ ନିୟୁତ ଟନ୍ କିମ୍ବା ତତୋଧିକ ପାଇଁ ଦାୟୀ । ଦୁର୍ଭାଗ୍ୟର ବିଷୟ ଏହି ଯେ, ଇ-ଆବର୍ଜନାଗୁଡିକର ୨୦ %ରୁ କମ୍ ପୁନଃ ଚକ୍ରଣ ବା ରିସାଇକ୍ଲିଙ୍ଗ ଏବଂ ଉପଯୁକ୍ତ ଢଙ୍ଗରେ ନିଷ୍କାସିତ ହୋଇଥିବା ଜଣାପଡିଛି । ୨୦୨୨ ମସିହାରେ, ବିଶ୍ୱ ୬୨ ଅୟୁତ କିଲୋଗ୍ରାମ ଇ-ଆବର୍ଜନା ସୃଷ୍ଟି କରିଥିଲା । ଉପଯୁକ୍ତ ନିଷ୍କାସନ କୌଶଳ ସହିତ ପୁନଃ ବ୍ୟବହାର ମାଧ୍ୟମରେ ଏହି ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା ପାଇଁ ସମସ୍ତଙ୍କୁ “ଆନ୍ତର୍ଜାତୀୟ ଇ-ଆବର୍ଜନା ଦିବସ” ପାଳନ ପାଇଁ ଉତ୍ସାହିତ କରେ । ଏହି ଦିବସର ପ୍ରଥମ ଉତ୍ସବ ୨୦୧୮ରେ ହୋଇଥିଲା ଯେତେବେଳେ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି (ଡବ୍ଲୁଇଇଇ) ଫୋରମ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଦିବସ ପାଳନ ଆରମ୍ଭ କରିବା ପଛର ଉଦ୍ଦେଶ୍ୟ ହେଉଛି ଇ-ଆବର୍ଜନାକୁ ହ୍ରାସ ଏବଂ ପୁନଃ ବ୍ୟବହାର କରିବାର ଆବଶ୍ୟକତା ବିଷୟରେ ଜନସଚେତନତା ଏବଂ ବୁଝାମଣା ବୃଦ୍ଧି କରିବା, ବ୍ୟକ୍ତିବିଶେଷ, କମ୍ପାନୀ ଏବଂ ସମ୍ପ୍ରଦାୟକୁ ପରିବେଶର ସୁରକ୍ଷା ପାଇଁ ଅଧିକ କାର୍ଯ୍ୟ କରିବାକୁ ଉତ୍ସାହିତ କରିବା । ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ବ୍ୟକ୍ତିବିଶେଷ ଏବଂ ପରିବାରବର୍ଗମାନେ ସେମାନଙ୍କର ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁକୁ ପଞ୍ଜିକୃତ ଇ-ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର ସ୍ଥାନକୁ ନେବା ନିଶ୍ଚିତ କରିବାକୁ ହେବ । ଅନ୍ୟ ଏକ ଭଲ କଥା ହେଉଛି ପୁନଃ ବ୍ୟବହାର ହୋଇଥିବା ଇ-ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଉତ୍ପାଦଗୁଡିକ କିଣିବା । ୨୦୨୪ ପାଇଁ ବିଷୟବସ୍ତୁ ହେଉଛି “ଇ-ଆବର୍ଜନା ପରିଚାଳନାରେ ଯୋଗ ଦିଅନ୍ତୁ – ପୁନରୁଦ୍ଧାର, ପୁନଃ ଚକ୍ରଣ, ପୁନଃ ବ୍ୟବହାର । ଏହି ବର୍ଷର ଅଭିଯାନର ଲକ୍ଷ୍ୟ ହେଉଛି ଲୋକଙ୍କୁ ପୁରୁଣା ଫୋନ୍, କେବୁଲ୍, ଏବଂ ୟୁଏସ୍‌ସ୍ୱି ଚାବି ଭଳି ଛୋଟ ଉପକରଣ ସହିତ ଅବ୍ୟବହୃତ କିମ୍ବା ଭଙ୍ଗା ଇଲେକ୍ଟ୍ରୋନିକ୍ସର ଠୁଳ କରି ନରଖିବା କିମ୍ବା ବ୍ୟବହାର ନକରିବାକୁ ଉତ୍ସାହିତ କରିବା । ଏହି ଅଭିଯାନର ଲକ୍ଷ୍ୟ ରହିଛି ଯେ, ଏହି ଉପକରଣଗୁଡ଼ିକରେ ବହୁମୂଲ୍ୟ ସାମଗ୍ରୀ ଅଛି ଯାହା ପୁନଃ ବ୍ୟବହାର ହୋଇପାରିବ । ଇ-ଆବର୍ଜନାକୁ ଦ୍ୱିତୀୟ ସୁଯୋଗ ଦିଅ, ଏକ ସ୍ଥାୟୀ ଅଗ୍ରଗତି ପାଇଁ ରିସାଇକ୍ଲିଂ ବା ପୁନଃ ଚକ୍ରଣ କର । ଦାୟିତ୍ୱ ସମ୍ପନ୍ନ ଭାବରେ ଇ-ବର୍ଯ୍ୟ ବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ନିସ୍କାସନ କର ଏବଂ ଧରିତ୍ରୀକୁ ଏହାର ବିପରିତ ପ୍ରଭାବରୁ ମୁକ୍ତି ରଖ ।

Leave A Reply

Your email address will not be published.