om academy

ଜିଲ୍ଲାରେ କୋଭିଡ୍‌ କଟକଣା ମଧ୍ୟରେ ଖୋଲିଲା ଧାର୍ମିକ ଅନୁଷ୍ଠାନ

jsm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଆଜିଠାରୁ ମନ୍ଦିର, ଚର୍ଚ୍ଚ, ମସଜିଦ ଆଦି ଧାର୍ମିକ ଅନୁଷ୍ଠାନ କୋଭିଡ୍‌ କଟକଣା ମଧ୍ୟରେ ଖୋଲିଛି । ଗତକାଲି ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ, ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ଅନୁଷ୍ଠାନର ପରିଚାଳନା କମିଟି ମଧ୍ୟରେ ଏକ ବୈଠକ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଗ୍ରାମ ମୁଖ୍ୟ, ପୂଜକଙ୍କୁ ପୂଜା, ଦର୍ଶନ ନେଇ ରହିଥିବା କଟକଣା ଉପରେ ଅବଗତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ କଣ୍ଟେନ୍‌ମେଣ୍ଟ ଜୋନରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିପରି ଧାର୍ମିକ ଅନୁଷ୍ଠାନରେ ଗୋଟିଏ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର ଖୋଲା ରହିବ, ପରସ୍ପର ମଧ୍ୟରେ ୬ ଫୁଟ୍‌ ସାମାଜିକ ଦୂରତା ଅବଳମ୍ବନ, ମାସ୍କ ପରିଧାନ, ବିନା ଲକ୍ଷଣ ରହିଥିବା ଲୋକଙ୍କୁ ଧାର୍ମିକ ଅନୁଷ୍ଠାନ ପ୍ରବେଶ, ପୂଜଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଧାର୍ମିକ ଅନୁଷ୍ଠାନ ଆଗରେ କୋଭିଡ୍‌ ଗାଇଡ୍‌ ଲାଇନର ସୂଚନା ଫଳକ ଆଦି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଧାର୍ମିକ ଅନୁଷ୍ଠାନରେ ରହିଥିବା ଦେବା, ଦେବୀଙ୍କ ମୂର୍ତ୍ତିକୁ ଭକ୍ତମାନେ ସ୍ପର୍ଶ କରିବାକୁ ବାରଣ କରାଯାଇ ଥିବା ବେଳେ ଦୀପ, ଫୁଲ, ପ୍ରସାଦ ଭଳି ସାମଗ୍ରୀ ଧାର୍ମିକ ଅନୁଷ୍ଠାନକୁ ଆଣିବାକୁ ମନା କରାଯାଇଛି । ତେବେ ଧାର୍ମିକ ଅନୁଷ୍ଠାନରେ ପ୍ରସାଦ ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍‌ ବୟସ୍କ ଶିଶଙ୍କୁ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.