jayashree

ଭଞ୍ଜନଗର ଉପଖଣ୍ଡସ୍ତରୀୟ ଧାନକ୍ରୟ କ୍ରିୟା କମିଟୀ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହବାକୁ ଥିବା ଧାନ କିଣା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ୧୨୧ଟି ସେବା ସମବାୟ ସମିତି ଓ ୩୬ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ମୋଟ ୧୫୭ଟି ସ୍ଥାନରେ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଛି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଧାନ ବିକ୍ରି, ସ୍ଵୟଂ ସହାୟକ ଗୋଷ୍ଠୀମାନେ ଧାନ କିଣିବା ଏବଂ ଚାଷୀମାନେ ଯେଉଁଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ଏହି ଦିଗରେ ସମସ୍ତ ଆଲୋଚନା ହୋଇଥିଲା । ଚାଷୀ ଯେମିତି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍‌ ଦାମରେ ବେପାରୀମାନଙ୍କୁ ଧାନ ବିକ୍ରୟ ନକରେ,ଏହାକୁ ରୋକିବା ପାଇଁ ସମସ୍ତ ବ୍ଲକରୁ ତହସିଲଦାରଙ୍କ ନେତୃତ୍ୱରେ ଏକ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି । ଭଞ୍ଜନଗର ଉପଖଣ୍ଡରେ ଗତ ବର୍ଷ ୩୫୯୨୮ ଜଣ ଚାଷୀଙ୍କ ଠାରୁ ୧୪,୭୦,୨୩୯.୦୭ କୁଇଣ୍ଟାଲ ଧାନ କିଣାଯାଇ ଥିବା ବେଳେ ଚଳିତ ବର୍ଷ ଧାନ ବିକିବା ପାଇଁ ୪୬୬୨୦ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ଗତ ବର୍ଷ ମିଲରଙ୍କ ସଂଖ୍ୟା ୧୩୨ ଥିଲା ବେଳେ ଏ ବର୍ଷ ୧୩୪ ଜଣ ମିଲର ଧାନ କିଣାରେ ସହମତି ଦେଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଟୋକେନ ପାଇବାର ୩୦ ଦିନ ମଧ୍ୟରେ ଚାଷୀ ଧାନ ବିକ୍ରି କରିପାରିବେ । ଏଥି ସହ ଯୋଗ୍ୟ ଚାଷୀଙ୍କଠାରୁ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣାଯିବା ସେଥି ପାଇଁ ଆବଶ୍ୟକ ଟାର୍ଗେଟ (ଗତ ବର୍ଷର ୧୦୦% )ଉପଖଣ୍ଡକୁ ଆସିଯାଇଛି । ସେହିଭଳି ୨୦୨୩ – ୨୪ ଖରିଫ ବର୍ଷରେ ସାଧାରଣ ଧାନ ନିମନ୍ତେ କୁଇଣ୍ଟାଲ ସକାଶେ ୨୧୨୩ ଟଙ୍କା ପ୍ରତି ଦର ଧାର୍ଯ୍ୟ ଥିଲା । ଚଳିତ ବର୍ଷ ସାଧାରଣ ଧାନ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ପ୍ରତି କୁଇଣ୍ଟାଲ ଦର ଧାର୍ଯ୍ୟ ରଖାଯାଇଛି । ଏହା ବାଦ ରାଜ୍ୟ ସରକାର ପ୍ରତି କୁଇଣ୍ଟାଲ ଧାନରେ ୮୦୦ ଟଙ୍କା ଇନପୁଟ ଆସିଷ୍ଟାନ୍ସ ଦେବେ । ତେଣୁ ଜଣେ ଚାଷୀକୁ ସମୁଦାୟ ୩୧୦୦ଟଙ୍କା ମିଳିବ ପ୍ରତି କୁଇଣ୍ଟାଲ । ସେହିଭଳି ଗ୍ରେଡ – ଏ ଧାନର ମୂଲ୍ୟ ଗତ ବର୍ଷ ୨୨୦୩ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଏହା ୨୩୨୦ ଟଙ୍କାକୁ ବୃଦ୍ଧି ପାଇଛି । ପଞ୍ଜୀକୃତ କରିଥିବା ଚାଷୀମାନେ ୧୯୬୭ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଟୋକେନ, ଧାନ ବିକ୍ରୟ ତାରିଖ ଏବଂ ଅନ୍ୟାନ୍ୟ ବିଷୟରେ ସୂଚନା ପାଇପାରିବେ । ଚଳିତ ବର୍ଷ ଚାଷୀଙ୍କୁ ଯେଉଁଭଳି କୌଣସି ସମସ୍ୟା ଉପୁଜିବ ନାହିଁ । ଧାନ କ୍ରୟ ସମୟରେ ଆବଶ୍ୟକ ହେଉଥିବା ଯନ୍ତ୍ରପାତି ସବୁକୁ ପ୍ରସ୍ତୁତ ରଖିବାକୁ ଉପ ଜିଲ୍ଲାପାଳ ଆର୍‌. ଏମ୍‌.ସି କର୍ତ୍ତୁପକ୍ଷଙ୍କୁ ନିର୍ଦେଶ ଦେବା ସହ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଉପ ଜିଲ୍ଲାପାଳ ଏ.ଆର୍‌,ସି.ଏସ୍‌ଙ୍କୁ ଚଳିତ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ସନ୍ଦିଗ୍ଧ ପ୍ଲଟର ଭେରିଫିକେସନ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ସନ୍ଦିଗ୍ଧ ପ୍ଲଟ ସଂଖ୍ୟା ୧,୪୬,୦୬୭ ଥିଲା ବେଳେ ଏଥର ତାହା ୧,୧୭,୪୬୮ ଅଛି । ଉପଖଣ୍ଡରେ ଆସିକା ବ୍ଲକରେ ୧୮ଟି, ବେଲଗୁଣ୍ଠାରେ ୧୩ଟି, ଭଞ୍ଜନଗରରେ ୧୨ଟି, ବୁଗୁଡାରେ ୧୪ଟି, ଧରାକୋଟରେ ୧୫ଟି, ଜଗନ୍ନାଥପ୍ରସାଦରେ ୧୭ଟି, ଶେରଗଡରେ ୧୫ଟି ସୋରଡାରେ ୧୭ଟି ସମବାୟ ସେବା ସମିତିରେ ଧାନ କିଣାଯିବ । ଏଥି ସହ ଆସିକା ବ୍ଲକରେ ୧୪ଟି , ବେଲଗୁଣ୍ଠାରେ ୨ଟି, ଭଞ୍ଜନଗରରେ ୩ଟି, ଧରାକୋଟରେ ୪ଟି, ଜଗନ୍ନାଥପ୍ରସାଦରେ ୫ଟି, ଶେରଗଡରେ ୪ଟି, ସୋରଡାରେ ୫ଟି ସ୍ଵୟଂସହାୟକ ଗୋଷ୍ଠୀ ଧାନ କିଣିବେ ବୋଲି ସୂଚନା ମିଳିଛି । ପ୍ରଥମ ଥର ପାଇଁ ଏ ବର୍ଷ ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି ଏବଂ ପ୍ରତ୍ୟେକ ୪ରୁ ୫ ମଣ୍ଡି ପାଇଁ ଜଣେ ଜଣେ ମଣ୍ଡି ସୁପରଭାଇଜର ନିଯୁକ୍ତ ହୋଇଛନ୍ତି । ସେମାନଙ୍କର ପ୍ରତ୍ୟକ୍ଷ ତତ୍‌ତ୍ତ୍‌ତ୍ତ୍ୱବଧାନରେ ଧାନ କିଣା ପ୍ରକ୍ରିୟା ଚାଲିବ । ଏ ବର୍ଷ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସୋସାଇଟିରେ ପ୍ରତ୍ୟେକ ଶହେ ଜଣ ଚାଷୀଙ୍କୁ ନେଇ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି । ସେଥିରେ ଚାଷୀମାନେ କିଭଳି ଏଫ୍‌.ଏ.କ୍ୟୁ ଧାନ ମଣ୍ଡିକୁ ଆଣିବେ ସେଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଆର୍‌.ଏମ୍‌.ସି ତରଫରୁ ପ୍ରତ୍ୟକ ମଣ୍ଡି ପାଇଁ ଜଣେ ଜଣେ ଗୁଣବତ୍ତା ବିଶ୍ଳେଷକ ଯୋଗାଇ ଦିଆଯିବ । ମଣ୍ଡିରେ ଧାନର ଗୁଣବତ୍ତା ପରୀକ୍ଷା ସମୟରେ ଏହି ଅଧିକାରୀମାନଙ୍କ ସହିତ ଚାଷୀ, ସମିତି ସମ୍ପାଦକ ଓ ମିଲର ପ୍ରତିନିଧି ରହିବେ । ଏହି ବୈଠକରେ ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତିଙ୍କ ସମେତ ଉପଖଣ୍ଡ ଅଧୀନ ସମସ୍ତ ବ୍ଲକର ବିଡିଓ, ତହସିଲଦାର, ସିଡିପିଓ, ସମସ୍ତ ଯୋଗାଣ ନିରୀକ୍ଷକ, ଏ.ଆର୍‌.ସି.ଏସ୍‌, ସମବାୟ ବିଭାଗର ଅଧିକାରୀ, ଆର୍‌.ଏମ୍‌.ସି ସେକ୍ରେଯାରୀ, ମିଶନ ଶକ୍ତି କାର୍ଯ୍ୟକର୍ତ୍ତାଙ୍କ ସମେତ ମିଲର ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସଭା ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.