centurian jitm

ମୁରିବାହାଲ ବ୍ଲକରେ ମଣ୍ଡି ଖୋଲିବାରେ ବହୁ ବିଳମ୍ବ : ଚାଷୀଙ୍କଠାରୁ ଅତି କମ୍‌ ଦରରେ ଧାନ କିଣି ବେଆଇନ ଗଚ୍ଛିତ ରଖିସାରିଛି ଅସାଧୁ ବେପାରୀ

nschool
  • ଏଫ୍‌ଏକ୍ୟୁମାନର ଧାନ ସଂଗ୍ରହ ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ
  • ଅବ୍ୟବସ୍ଥାରେ ମୁରିବାହାଲ ଆର୍‌ଏମ୍‌ସି
  • ସୁରୁଖୁରୁରେ ଧାନକିଣା ନେଇ ପ୍ରଶାସନର ନିର୍ଭର ପ୍ରତିଶୃତି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ମୁରିବାହାଲ ବ୍ଲକ ସଦର ମହକୁମା ଉପବଜାର ପ୍ରାଙ୍ଗଣରେ ଗୁରୁବାର ଏଫ୍‌ଏକ୍ୟୁମାନର ଧାନ ସଂଗ୍ରହ ନିମନ୍ତେ ଏକ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଟିଟିଲାଗଡ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ, ଟିଟିଲାଗଡ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ସନ୍ତୋଷ କୁମାର ମଲ୍ଲିକ, କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନୀଳମାଧବ ଆଚାର୍ଯ୍ୟ, ସବରେଜିଷ୍ଟ୍ରାର ସୁରେନ୍ଦ୍ର ମୋହନ ସିଂହ ପ୍ରମୁଖ ଯୋଗଦେଇ ଧାନଚାଷୀଙ୍କୁ ସଚେତନ କରିଥିଲେ । ଆସନ୍ତା ଡ଼ିସେମ୍ବର ୨ ତାରିଖଠାରୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଦରରେ ବିଭିନ୍ନ ପେକ୍ସ ଓ ଏସ୍‌ଏଚ୍‌ଜି ମାଧ୍ୟମରେ ଏଫ୍‌ଏକ୍ୟୁମାନର ଧାନ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ଚାଷୀଙ୍କୁ ଟୋକନ୍ ପ୍ରଦାନ କରାଯିବାକୁ ଥିବାବେଳେ ଧାନ ସଂଗ୍ରହ ସମ୍ପର୍କରେ ଉପସ୍ଥିତ ଥିବା ଚାଷୀଙ୍କୁ ବିଭିନ୍ନ ଡେମୋ ପ୍ରଦର୍ଶନ କରିଥିଲେ । ଶିବିରରେ ଉପସ୍ଥିତ ଚାଷୀମାନେ ସେମାନେ ଧାନ ବିକ୍ରି ବେଳେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ ଅହେତୁକ ବିଳମ୍ବ ଯୋଗୁଁ ଚାଷୀ ୩୦ ପ୍ରତିଶତରୁ ଅଧିକ ଧାନ ଅମଳ କରିସାରି ଅତି କମ୍ ଦରରେ ଅସାଧୁ ବେପାରୀ ଓ ଲାଭଖୋର୍ ଦଲାଲମାନଙ୍କୁ ବିକ୍ରି କରିସାରିଲେଣି । ଶହ ଶହ କ୍ଵିଣ୍ଟାଲ ଏହି ଧାନକୁ ଅସାଧୁ ବେପାରୀମାନେ ଏବେ ନିଜର ଘରେ ଓ ଗୋଦାମରେ ଲୁଚାଇ ରଖିଥିବା ବେଳେ ମଣ୍ଡି ଖୋଲିଲେ ବିକ୍ରି କରିବାକୁ ମସୁଧା କରୁଥିବା ଚାଷୀ ଅଗସ୍ତି ବଘାର ଗୁରୁତର ଅଭିଯୋଗ କରିଥିଲେ । ସରକାରୀ ଭାବେ ମଣ୍ଡିଗୁଡ଼ିକରେ ପେକ୍ସ୍ ମାଧ୍ୟମରେ ଧାନ କିଣାଯାଉଥିଲେ ମଧ୍ୟ ମିଲର୍ସ ଓ ତାଙ୍କ ଦଲାଲମାନେ ମଣ୍ଡିକୁ ପହଞ୍ଚି ସେମାନଙ୍କ ମନମାନୀ କରୁଥିବା, କଟନୀଛଟନୀ ପାଇଁ ମୂଲଚାଲ କରୁଥିବା ଭଳି ଚାଷୀଙ୍କୁ ହଇରାଣ କରାଯାଉଥିବା ଶ୍ରୀ ବଘାର ଅଭିଯୋଗ କରିଥିଲେ । ଧାନ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଅଖାବସ୍ତା ଯୋଗାଣ, ଠିକ୍ ସମୟରେ ଧାନ ସଂଗ୍ରହ, ଚାଷୀଙ୍କ ପାସବୁକରେ ଠିକ୍ ସମୟରେ ଉଚିତ୍ ଅର୍ଥ ପଇଠ ଭଳି ବିଭିନ୍ନ ଅଭିଯୋଗମାନ ଚାଷୀମାନେ କରିଥିଲେ । ଜିଲ୍ଲାରେ ମଣ୍ଡିଗୁଡ଼ିକ ନଭେମ୍ବର ୧୫ସୁଦ୍ଧା ଖୋଲିବା କଥା କିନ୍ତୁ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁଁ ଚାଷୀ ବେର୍ଣ୍ଣା, ବାହାଲ ଜମିର ଧାନ ବିକ୍ରି କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀ ଲୋଚନ ମହାକୁର ଓ ଭାଗିରଥି ଯୁଏଡ ଅଭିଯୋଗ କରିଥିଲେ । ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହେଉଥିଲେ ମଧ୍ୟ ବ୍ଲକ କୃଷକ ସଂଗଠନକୁ ପୂର୍ବରୁ କୌଣସି ସୂଚନା ଦିଆଯାଉନଥିବା ସଭାପତି ଚକ୍ରଧର ହେର୍ଣ୍ଣା ଓ ଉପସଭାପତି ତୀର୍ଥ ହାତୀ ଅଭିଯୋଗ କରିଥିଲେ । ବ୍ଲକରେ ଥିବା ୧୧ଟି ମଣ୍ଡିର ସ୍ଥାୟୀ ଅଫିସ କିମ୍ବା ଗୋଦାମ ଗୃହ ନ ଥିବା, ପେକ୍ସ ସମ୍ପାଦକ ସମେତ ବହୁ ସଂଖ୍ୟକ କର୍ମଚାରୀ ଅଭାବ ରହିଥିବା ଚାଷୀ ଅଭିଯୋଗ କରିଥିଲେ । ମୁରିବାହାଲ ଆର୍‌ଏମ୍‌ସି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ଥିବା ବେଳେ ଏହାର ଗେଟ ନ ଥିବା, ବିଦ୍ୟୁତ୍ ନ ଥିବା, ଦାୟିତ୍ୱରେ ଥିବା କର୍ମଚାରୀ ଦରମା ନେଉଥିବା ବେଳେ ଏଠାରେ କାର୍ଯ୍ୟ କରୁନଥିବା, ପିଆଜ ଗୋଦାମ ଜରାଜୀର୍ଣ୍ଣ ତଥା ଦୟନୀୟ ଅବସ୍ଥାରେ ପଡ଼ିଥିବା, ଏହାକୁ ଗୋରୁ ବଜାର କରି ମଳମୂତ୍ର ପରିପୂର୍ଣ୍ଣ କରାଯାଉଥିବା, ପୂର୍ବରୁ ଏଠାରେ ଚୋରୀ ଆଦି ହୋଇଥିବା ବେଳେ ସବୁବେଳେ ମଦ୍ୟପ ଓ ଜୁଆ ଆଡ୍ଡା ଆଦି ଅସାମାଜିକ କାର୍ଯ୍ୟକଳାପ ଚାଲିଥିବା ଚାଷୀ ଅଗସ୍ତି ବଘାର ଗୁରୁତର ଅଭିଯୋଗ କରିଥିଲେ । ଆଗାମୀ ଦିନରେ ସମସ୍ତ ମଣ୍ଡିର ଉନ୍ନତିକରଣ କରାଯିବ ଏଥିପାଇଁ ଅର୍ଥ ଆସିସାରିଥିବା ବେଳେ ଧାନ ସଂଗ୍ରହ ବେଳେ ଚାଷୀଙ୍କ ଅଭିଯୋଗକୁ ଧ୍ୟାନ ଦିଆଯିବ ବୋଲି ଏଆର୍‌ସିଏସ୍ ଶ୍ରୀ ମଲ୍ଲିକ ପ୍ରତିଶୃତି ଦେଇଥିଲେ । ଧାନ ସଂଗ୍ରହ ଶେଷ ପରେ ଆଗାମୀ ୨ମାସ ମଧ୍ୟରେ ମୁରିବାହାଲ ଆର୍‌ଏମ୍‌ସିର ମଧ୍ୟ ଉନ୍ନତିକରଣ କରାଯିବ ବୋଲି ସମ୍ପାଦକ ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଥିଲେ । ମରୁଡି ପ୍ରଭାବିତ ବ୍ଲକ ଅଞ୍ଚଳର ଚାଷୀ ଓ ଚାଷର ଉନ୍ନତି ପାଇଁ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରିବା ତଥା ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଅଧିକାରୀଙ୍କୁ ଅବଗତ କରିଥିଲେ । ଏହି ବୈଠକରେ ଚାଷୀ ବ୍ରଜମୋହନ ବନଛୋର, ଉମେଶ ସିଂ ବର୍ମା, ଚିତ୍ତରଞ୍ଜନ ଦାସ, ସୁଦର୍ଶନ ମାହାକୁର, ହେମନ୍ତ ବାଗ, ରାଧେଶ୍ୟାମ ପଧାନ, ସୁରେନ୍ଦ୍ର ମହାକୁର, ହେମନ୍ତ ପର୍ଡିଆ, ପ୍ରଦୀପ ମହାକୁର, ଲୋକନାଥ ବଘାର, ପବିତ୍ର ସାହୁ, ପିଂକୁ ବଘାରଙ୍କ ସହ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ । ଶିବିରରେ ପେକ୍ସ ସମ୍ପାଦକ ରମାରଞ୍ଜନ ବଘାର, ପୀତାମ୍ବର ବାଗ, ବନମାଳୀ ଖମାରୀ, ସତ୍ୟନାରାୟଣ ନାଗ, ସନ୍ତୋଷ କୁମାର ସାହୁ ଓ ଅକ୍ଷୟ କୁମାର ସାହୁଙ୍କ ସହ ଡିଇଓମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!