
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଧୀନରେ ଥିବା ଘୁନସର ପେକ୍ସ ସମ୍ପାଦକଙ୍କ ହଇରାଣ ହରକତ ଯୋଗୁଁ ଜଣେ ଚାଷୀଙ୍କ ନାମ ପଞ୍ଜିକରଣ କରି ନ ଦେବା ଫଳରେ ଚାଷୀ ଜଣକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ ପରିବାର ଲୋକେ ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦେବୁ ବୋଲି ଗଣମାଧ୍ୟମ ଠାରେ ପ୍ରକାଶ କରିଛନ୍ତି । ପ୍ରକାଶ ଯେ , ଏହି ଘୁନସର ପେକ୍ସ ଅଧୀନରେ ଥିବା ବାବୁକେଲଗାଁ ଗ୍ରାମର ମୋହନ ସାହୁ ନାମକ ଜୈନିକ ବ୍ୟକ୍ତି ଗତ ୩ ବର୍ଷ ହେଲା ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିଲେ ମଧ୍ୟ କମ ଜମି ପଞ୍ଜିକରଣ ହୋଇଥିବାରୁ ଧାନ ବିକ୍ରିରୁ ବଞ୍ଚିତ ହେଉଛନ୍ତି । ଏହି ପେକ୍ସରେ ମୋହନ ତାଙ୍କ ୨ ଏକକ ଜମିର କାଗଜ ପତ୍ର ଦେଇ ନାମ ପଞ୍ଜିକରଣ କରିବା ପାଇଁ ଆବେଦନ କରିଥିଲେ । କିନ୍ତୁ ପେକ୍ସ ସମ୍ପାଦକ ଜଣକ ଜାଣିଶୁଣି ଲଗାତାର ୩ ବର୍ଷ ହେଲା ମୋତେ ହଇରାଣ କରୁଛନ୍ନ୍ତି ଯାହା ଫଳରେ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛି ବୋଲି ଚାଷୀ ଜଣକ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସମ୍ପାଦକଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା । କିନ୍ତୁ ସମ୍ପାଦକ ଜଣକଙ୍କ ମନମାନି ଯୋଗୁଁ ୧ ଏକକ ଜମିର ନାମ ପଞ୍ଜିକରଣ କରିବା ଦ୍ୱାରା ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ହେଉଛୁ ବୋଲି ମୋହନ ସାହୁ ସଇଁତଲା ବିଡ଼ିଓଙ୍କ ଠାରେ ଗୁହାରୀ କରିଥିଲେ । ଏ ଦିଗରେ ଘୁନସର ରାଜସ୍ୱ ନିରୀକ୍ଷକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବ ବୋଲି ବିଡ଼ିଓ ଭୋଇ ପ୍ରକାଶ କରିଥିଲେ । ଏନେଇ ପେକ୍ସ ସମ୍ପାଦକଙ୍କୁ ମଧ୍ୟ ପଚାରିବାରୁ ୨ ଭାଇ ସମାନ ଜମିର କାଗଜ ପତ୍ର ପଞ୍ଜିକରଣ ପାଇଁ ଦେଇଥିବା ଯୋଗୁଁ ଏପରି ସମସ୍ୟା ହୋଇଥିବା ପ୍ରକାଶ କରିଥିଲେ । ଏ ଘଟଣା ସମ୍ପର୍କରେ ବଲାଙ୍ଗିର ଜିଲ୍ଲାପାଳ, ଟିଟିଲାଗଡ଼ ଉପ ଜିଲ୍ଲାପାଳ, ସଇଁତଲା ତହସିଲଦାରଙ୍କୁ ମଧ୍ୟ ତାଙ୍କ ଅଭିଯୋଗ ପତ୍ର ଦେଇଥିବା ପ୍ରକାଶ କରିଛନ୍ତି ।