ଜୟପାଟଣା ପ୍ରଥମ ମଣ୍ଡିରୁ ଉଠିଲା ୧୫୦ କ୍ଵିଣ୍ଟାଲ ଧାନ

ଜୟପାଟଣା, (ଶେଷଦେବ ବେହେରା) : ଚଳିତ ଖରିଫରେ ମଣ୍ଡି ପ୍ରକ୍ରିୟାକୁ ନେଇ ଏକ ଅନିଶ୍ଚିତତା ଲାଗି ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଜୟପାଟଣା ବ୍ଲକ ବାନେର ପେକ୍ସ ଅଧୀନରେ ଆସୁଥିବା ବିମଳା ମଣ୍ଡିରୁ ଦୁଇଜଣ ଚାଷୀଙ୍କ ଠାରୁ ୧୫୦ କ୍ଵିଣ୍ଟାଲ ଧାନ କ୍ରୟ ହୋଇଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକର ୧୪, ୨୩୧ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ବାନେର ପେକ୍ସରୁ ୩୧୩୧ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ତନ୍ମଧ୍ୟରୁ ବିମଳା ମଣ୍ଡିରୁ ୭୬୯ଜଣ ଚାଷୀ ରହିଥିବା ସୂଚନା ମିଳିଛି । ସଂପୃକ୍ତ ମଣ୍ଡିରେ ତରବରିଆ ସ୍ଥିତିରେ ମଣ୍ଡି ଆରମ୍ଭ ହୋଇଥିବା ସୂଚନା ମିଳୁଥିବା ବେଳେ ଶୁଭାରମ୍ଭ ସମୟରେ କୌଣସି ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତି ନ ରହିବା ଘଟଣା ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ କମ୍ ସଂଖ୍ୟକ ଅଗ୍ରଣୀ ଚାଷୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ବୃନ୍ଦାବନ ରାଉତ, ଲକ୍ଷ୍ମୀ ନାଏକ ହେମନ୍ତ ରାଉତ, ସଦା ରାମ ଦଳପତି ପ୍ରମୁଖ ଉପସ୍ଥିତ ଥିବା ବେଳେ ପେକ୍ସ ସମ୍ପାଦକ ଉଦିତ ରାଉତ, ଆର୍‌ଏମ୍‌ସି କର୍ମଚାରୀ ମଳୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରି ଆସୁଥିବା ଉଦ୍‌ଘାଟନୀ ମଣ୍ଡିରେ ପ୍ରଶାସନିକ ଅଧିକାରୀ କିମ୍ବା ଯୋଗାଣ ବିଭାଗର ଉପସ୍ଥିତି ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଜୟପାଟଣା ବ୍ଲକର ପରବର୍ତ୍ତୀ ମଣ୍ଡି ଗୁଡ଼ିକ କେବେ ଆରମ୍ଭ ହେବ ବୋଲି ପ୍ରଶ୍ନ ଉଠିଛି । ଗତ ମଙ୍ଗଳବାର ରାତିରେ ବୃନ୍ଦାବନ ରାଉତ ଓ ତ୍ରିଲୋଚନ ପଣ୍ଡାଙ୍କ ଠାରୁ ୧୫୦ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଥିବା ପେକ୍ସ ସମ୍ପାଦକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.