ଓମ୍‌ଫେଡ୍‌ ଗାଡି ଓ ବାଇକ ମୁହାଁମୁହିଁ ଧକ୍କା : ବାଇକ ଆରୋହୀଙ୍କ ମୃତ୍ୟୁ, ଦୁର୍ଘଟଣା ଦେଖି ଟିଟିଲାଗଡ଼ ଉପଜିଲ୍ଲାପାଳ ପୋଲିସକୁ ଖବର ଦେଲେ     

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ପାଖରେ ଓମ୍‌ଫେଡ଼୍‌ ଗାଡି ଓ ବାଇକ ମୁହାଁ ମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ଗୋବିନ୍ଦ ସେଲମା (୩୦) । ତାଙ୍କ ଘର ଦେଓଗାଁ ଥାନା ମୁରସିଂ ବୋଲି ଜଣାପଡିଛି । ପ୍ରକାଶ ଯେ,  ଗୋବିନ୍ଦ କିଛି ଘରୋଇ କାମରେ ସଇଁତଲା ଥାନା ଆମ୍ବପାଲି ଗାଁରେ ଥିବା ତାଙ୍କ ନାନୀ ଘରକୁ ଆସିଥିଲେ । ସେଠାରୁ କାମ ସାରି ଘରକୁ ଫେରୁଥିବା ବେଳେ ସନ୍ଧ୍ୟା ସାଢେ ୮ ଘଣ୍ଟା ସମୟରେ ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ପାଖରେ ଓମ୍‌ଫେଡ଼୍‌ ଗାଡି ଓ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏହି ସମୟରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ମହାଜନ ବଲାଙ୍ଗିରରୁ ଫେରୁଥିବା ବେଳେ ଘଟଣାସ୍ଥଳରେ କେହି ନଥିବାରୁ ସଇଁତଲା ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଓ ଆମ୍ବୁଲାନ୍ସ ଗାଡି ପହଂଚିବା ପରେ ଗୁରୁତର ଅବସ୍ଥାରେ ଗୋବିନ୍ଦଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସଇଁତଲା ଥାନା ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡି ଓ ବାଇକକୁ ଜବତ କରି ଥାନା କେସ ନଂ ୧୫୨/୨୨ରେ ଏକ ମାମଲା ରୁଜୁ କରିଛନ୍ତି । ପରେ ପୋଲିସ ଶବକୁ ଜବତ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଉକ୍ତ ମାମଲାକୁ ସଇଁତଲା ଥାନା ଏସ୍‌ଆଇ ପ୍ରସନ୍ନ ନାୟକ ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.