ଆଦିବାସୀ ନୃତ୍ୟ, ସଂଗୀତର ରାଜ୍ୟସ୍ତରୀୟ ମହାପାର୍ବଣ ଡଙ୍ଗର ମହୋତ୍ସବ – ୨୦୨୨ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଦିବାସୀ ନୃତ୍ୟ, ସଂଗୀତ ମହୋତ୍ସବର ରାଜ୍ୟସ୍ତରୀୟ ମହାପାର୍ବଣ “ଡଙ୍ଗର ମହୋତ୍ସବ – ୨୦୨୨” ସୁବର୍ଣ୍ଣପୁର ଗାନ୍ଧୀ ପଡିଆସ୍ଥିତ ଫକୀର ପଟ୍ଟନାୟକ ମୁକ୍ତମଂଚରେ ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଆୟୋଜିତ ତିନି ଦିନିଆ ଡଙ୍ଗର ମହୋତ୍ସବକୁ ଉତ୍ତରାଂଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଲାଇ ଉଦ୍‌ଘାଟନ କରିଥିବା ବେଳେ ଓଡିଶାର ଜନ ଜୀବନ ପ୍ରବାହକୁ ଆଦିବାସୀ ସଂସ୍କୃତି ପ୍ରାଣବନ୍ତ କରିଛି ବୋଲି ଉଦବୋଧନ ଦେଇଥିଲେ । ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ପର୍ବରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଅତିଥି ଭାବେ ଯୋଗଦେଇ ଡଙ୍ଗର ମୁଲକରେ ହିଁ ଜୀବନର ବାସ୍ତବତା ଭରି ରହିଛି ବୋଲି ସାଂସ୍କୃତିକ ବାର୍ତ୍ତା ଦେଇଥିଲେ । ପ୍ରଥମ ଦିନର ସାଂସ୍କୃତିକ ମଂଚରେ କୋରାପୁଟ, ସୁନ୍ଦରଗଡ, ରାୟଗଡା, ଫୁଲବାଣୀ, କଲାହାଣ୍ଡି, ମୟୁରଭଂଜ ଓ ନବରଂଗପୁର ଜିଲ୍ଲାର ଆଦିବାସୀ କଳାକାରଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷିତ ହୋଇଥିଲା । ଆଜିଠାରୁ ଆରମ୍ଭ ହୋଇଥିବା ଡଙ୍ଗର ମହୋତ୍ସବ ଆସନ୍ତା ୩୦ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ଦିନର ନୃତ୍ୟଗୀତକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ।

Leave A Reply

Your email address will not be published.