୧୨୦୫ ନୂତନ ଡାକ୍ତରଙ୍କୁ ନିଯୁକ୍ତି ମଧ୍ୟରୁ ଜିଲ୍ଲାକୁ ଆସିବେ ପାଖାପାଖି ୪୧ : ଟିଟିଲାଗଡକୁ ଆସିବେ କେତେ ?

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏହି ମନ୍ତ୍ରକୁ ସାର୍ଥକ କରୁଛି ସ୍ୱାସ୍ଥ୍ୟ ବିଭାଗ ଯାହାକି ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବାଠୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାୟାକଳ୍ପ ବଦଳାଇ ଦିଆଯାଇଛି । ଉନ୍ନତ ମାନର ସ୍ୱାସ୍ଥ୍ୟ ଉପକରଣ ସହ ଆବଶ୍ୟକ ମୁତାବକ ଡାକ୍ତର ନିଯୁକ୍ତି କରାଯାଉଅଛି । ଏହି ପରିପ୍ରେକ୍ଷୀରେ ସପ୍ତାହେ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଡ଼ିସେମ୍ବର ୨୦୨୩ ସୁଦ୍ଧା ଡାକ୍ତର ବଳକା ରାଜ୍ୟ ହେବ ଓଡିଶା ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ଼ ସହରବାସୀଙ୍କ ବହୁ ଦିନର ଆଶା ପୂରଣ ହେବ ବୋଲି ସ୍ଥାନୀୟ ଲୋକମାନେ ଆଶା ବାନ୍ଧି ବସିଛନ୍ତି । କାରଣ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସରକାରୀ ଡାକ୍ତରଖାନାରେ ବହୁ ଦିନରୁ ଡ଼ାକ୍ତରଙ୍କ ଅଭାବ ଲାଗି ରହିଛି । ୧୯ଟି ଜାଗାରେ ଅଛନ୍ତି ୧୧ ଜଣ । ଏହି ସରକାରୀ ଡାକ୍ତରଖାନାରେ ଆଜି ବି ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ ଦୁଇ ଜଣ ନିଯୁକ୍ତି ପାଇଥିବା ବେଳେ ଡ. ବଳରାମ ସାହୁ ଏକୁଟିଆ କାର୍ଯ୍ୟରତ ଥିବା ଦେଖିବାକୁ ମିଳିଛି । ଅନ୍ୟ ଜଣେ ମହିଳା ନବ ନିଯୁକ୍ତ ଡାକ୍ତରଙ୍କ ଦେଖା ନାହିଁ । କିଛି ଦିନ କାମ କଲାପରେ ଛୁଟିରେ ଯାଇଛନ୍ତି ଯେ, ଆଉ ଫେରି ନାହାନ୍ତି । ସେହିପରି ଏହି ଡାକ୍ତରଖାନାର ଡାକ୍ତର ଓଁକାର ହୋତା ଏବଂ ଡାକ୍ତର ରଞ୍ଜିତ ରାଉତ ଟ୍ରେନିଂରେ ଯାଇଛନ୍ତି । ଅସ୍ଥି ଶଲ୍ୟ ବିଶେଷଜ୍ଞ ଅଛନ୍ତି କି ନାହିଁ ତାହା ସହରବାସୀ ଜାଣି ନାହାନ୍ତି କାରଣ ହାତ ଗୋଡ ଭାଙ୍ଗିଲେ ଭବାନୀପାଟଣା ନହେଲେ ବୁର୍ଲା, ବିଶାଖାପାଟଣା, ରାୟପୁରକୁ ଚିକିତ୍ସା ପାଇଁ ଯାଇଥାନ୍ତି । ଔଷଧ ବିଶେଷଜ୍ଞ ପଦବୀ ମଧ୍ୟ ଖାଲି ପଡ଼ିଛି । ଯଦ୍ୱାରା ଏଠାରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଉପରେ କାର୍ଯ୍ୟ ଭାର ବଢ଼ିବା ସହିତ ଚାପରେ କାମ କରୁଥିବା ଦେଖିବାକୁ ମିଳୁଛି । ଏସ୍‌ଡିଏମ୍‌ଓ ପି.କେ ନାୟକ ଔଷଧ ବିଶେଷଜ୍ଞ ଯିଏ କି ଡାକ୍ତରଖାନାର ଦାୟିତ୍ୱ ବହନ କରିବା ଯୋଗୁଁ ବହିର୍ବିଭାଗରେ ସମୟ ଦେଇ ପାରୁନାହାନ୍ତି କିନ୍ତୁ ଡାକ୍ତର ଅଭାବ ଦିନ ସିଏ ବି ବହିର୍ବିଭାଗରେ ବସି ରୋଗୀ ଦେଖନ୍ତି, ସେହିଭଳି କେବଳ ଶୁକ୍ରବାର ରାତି ୧୦ଟାରୁ ଶନିବାର ରାତି ୧୦ଟା ଯାଏଁ ପାଟଣାଗଡରୁ ଆସିଥିବା ଔଷଧ ବିଶେଷଜ୍ଞ ଡାକ୍ତର ଶ୍ରୀ ମେହେର ବହିର୍ବିଭାଗଠାରେ ରୋଗୀ ଦେଖନ୍ତି, ଯାହାଫଳରେ ଶନିବାର ଦିନ ରୋଗୀଙ୍କ ପ୍ରବଳ ଭିଡ଼ ହୁଏ । ତେଣୁ ଆଉ ଜଣେ ଔଷଧ ବିଶେଷଜ୍ଞ ନିହାତି ଜରୁରୀ ହୋଇଗଲାଣି । ନର୍ସ ଅଭାବ ବି ରହିଛି, ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଡ଼ାକ୍ତରଙ୍କୁ ନିଯୁକ୍ତି ଦେବା ପରେ ସମସ୍ତଙ୍କ ଆଶା ବଢି ଯାଉଛି । ସେମିତିବି ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଦ୍ୱିତୀୟ ଥର ମନ୍ତ୍ରୀ ହେବା ପରେ ଟିଟିଲାଗଡ ନାଗରିକ ମଞ୍ଚର ଆବାହକତ୍ୱରେ ସହରର ୧୪ଟି ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଜଣାଇବା ସହ ଡ଼ାକ୍ତରଙ୍କ ଅଭାବ ବିଷୟରେ ଆଲୋକପାତ କରିବା ସହ କିପରି ଆଉ କିଛି ଡ଼ାକ୍ତରଙ୍କୁ ଆଣି ହେବ ସେ ଦିଗରେ ପଦକ୍ଷେପ ନେବାକୁ ରାଧାକାନ୍ତ ପାଢୀ କହିଥିଲେ । ଏବେ ସେହି ସମୟ ଆସି ଯାଇଛି ବୋଧେ, ସହରବାସୀଙ୍କ ବହୁତ ଦିନର ମୁଖ୍ୟ ସମସ୍ୟା ଆଉ କିଛି ଦିନ ଭିତରେ ସମାଧାନ ହେବାର ସ୍ୱପ୍ନ ପୁଣି ଆଶା ବାନ୍ଧିଛି । ସେ ଯାହା ବି ହେଉ ଆଗାମୀ ଦିନରେ ନବ ନିଯୁକ୍ତ ଡାକ୍ତରଙ୍କ ମଧ୍ୟରୁ କିଛି ଡାକ୍ତର କିପରି ଟିଟିଲାଗଡ ଡାକ୍ତରଖାନାକୁ ଆସି ପାରିବେ ସେ ଦିଗରେ ଟିଟିଲାଗଡ଼ ଏସ୍‌ଡିଏମ୍‌ଓ, ଉପଜିଲ୍ଲାପାଳ, ବିଧାୟିକା ତଥା ମନ୍ତ୍ରୀ, ସାଂସଦ ଧ୍ୟାନ ଦେବା ସହ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.