
ଟିଟିଲାଗଡ଼, (ପ୍ରମୋଦ ସେଲମା) : ଏକ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରିବାରେ ସଫଳ ହୋଇଛି ଟିଟିଲାଗଡ ପୋଲିସ ବୋଲି ଗତ ସୋମବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଗତ ୧୨ ତାରିଖ ରାତିରେ ସ୍ଥାନୀୟ ହାଇସ୍କୁଲ ଖେଳପଡିଆଠାରେ ୭ ଜଣ ଅଭିଯୁକ୍ତ ଏକତ୍ରିତ ହୋଇ ବଙ୍ଗୋମୁଣ୍ଡା ଅଞ୍ଚଳର ଏକ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତି ଚଳାଇଥିବା ବେଳେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ପୋଲିସ ପେଟ୍ରୋଲିଙ୍ଗ ଟିମ୍ ସେମାନଙ୍କୁ ମାରଣାସ୍ତ୍ର ସହ ଗିରଫ କରିଥିଲା । ସମସ୍ତ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଟିଟିଲାଗଡ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ବେଳେ ବର୍ତ୍ତମାନ ସେମାନେ ଜାମିନରେ ଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସ୍ଥାନୀୟ ହାଇସ୍କୁଲପଡ଼ାର କୈଳାଶ ଥପା (୨୧), ନରେଶ ବାଗ (୨୨), ଟାଙ୍ଗରପଡ଼ାର ନିରାକାର ବାରିକ ଓରଫ ବ୍ରଜ(୨୩), ଶିରଭଟ୍ଟାପଡ଼ାର ରବି ଗଉଡ(୧୯), ବ୍ଲକପଡ଼ାର ଏମ୍ଡି ଅଜୁ ଓରଫ ଛୋଟୁ(୨୪), ପୂର୍ତ୍ତ ବିଭାଗ କଲୋନୀର ସୁକାନ୍ତ କୁମାର ମିଶ୍ର ଏବଂ ଉଦେପୁର ଗ୍ରାମର ଖଗେଶ୍ୱର ଦାସ ଓରଫ ଶମ୍ଭୁ(୨୪) ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ଅତିରିକ୍ତ ଏସ୍ପି ସୁରେଶ କୁମାର ନାୟକ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ଟିଟିଲାଗଡ ଥାନା କେସ ନଂ ୬୬/୨୦୨୩ ଦଫା ୩୯୯, ୪୦୨ ଆଈପିସି ୨୫/୨୮ ମାମଲା ରୁଜୁ କରାଯାଇ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଟିଟିଲାଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଛି । ଏହି ସାମ୍ବାଦିକ ସମ୍ବିଳନୀରେ ଥାନା ଆଇଆଇସି ରଞ୍ଜନ ବରିହା ଉପସ୍ଥିତ ଥିଲେ ।