ନବବର୍ଷ-୨୦୨୨କୁ ସ୍ୱାଗତ ସ୍ୱରୂପ ଦୈନିକ ଆଶା ମୁଦ୍ରଣ ପ୍ରକାଶନ ପୁନଃ ଆତ୍ମପ୍ରକାଶ କରିବ

  • ଏ ବର୍ଷର ଦ୍ୱିତୀୟ ବନ୍ଧୁମିଳନ ସମାରୋହରେ ଉଦ୍ୟକ୍ତାଙ୍କ ମତପ୍ରକାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଓଡ଼ିଶାର ସର୍ବପୂରାତନ ପ୍ରତିଷ୍ଠିତ ଦୈନିକ ଖବରକାଗଜ ‘ଦୈନିକ ଆଶା’ ଚଳିତ ନବବର୍ଷ-୨୦୨୨ ଅବସରରେ ନବବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ନେଇ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚିବ । ଏନେଇ ଏକ ବନ୍ଧୁମିଳନ ସମାରୋହ ଏହି ବର୍ଷର ଶେଷ ଆସର ଭାବେ ରବିବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବନ୍ଦନୀୟା ମା’ତାରାତାରିଣୀଙ୍କ ଚରଣ ତଳେ ପ୍ରଣତି ଜଣାଇବା ସାଂଗକୁ କର୍ମବୀର ବୃନ୍ଦାବନ ନାୟକଙ୍କ ସ୍ମୃତିଚାରଣ ପୂର୍ବକ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ସଭା ଆରମ୍ଭ ହୋଇଥିଲା । ‘ଦୈନିକ ଆଶା’ର ମୁଖ୍ୟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ସ୍ୱାଗତ ସମ୍ଭାଷଣ ଦେଇ ଓଡ଼ିଶାର ପ୍ରମୁଖ ଜିଲ୍ଲାରୁ ଆସିଥିବା ପ୍ରତିନିଧି/ସାମ୍ବାଦିକଙ୍କୁ ପ୍ରସଂଶା କରି ସଧୂବାଦ ଜଣାଇଥିଲେ ଏବଂ ନୂତନ କଳେବର ପାଉଥିବା ପତ୍ରିକା ନିମନ୍ତେ ସହଯୋଗ କାମନା କରିଥିଲେ । ‘ଦୈନିକ ଆଶା’ର ପ୍ରସାର ଓ ସମୃଦ୍ଧିଶାଳୀ କରିବା ନିମନ୍ତେ ପ୍ରତିନିଧିମାନେ ସକ୍ରୀୟ ହେବାକୁ ଟ୍ରଷ୍ଟ-ବୋର୍ଡ଼ର ଅଧ୍ୟକ୍ଷ ଭଗବାନ ଗନ୍ତାୟତ ଆହ୍ୱାନ କରିଥିଲେ । ଏହି ଖବର କାଗଜର ମୁଦ୍ରଣ ପ୍ରକାଶନ ପୁନଃ-ସଂସ୍ଥାପନ ହେବା ସାଂଗକୁ ୱେବସିରିଜର ଅଗ୍ରଗତି ମଧ୍ୟ ଦ୍ରୁତଗତିରେ ଚାଲିବ ବୋଲି କହିଥିଲେ । ଏଥିପାଇଁ ସମସ୍ତ ପ୍ରତିନିଧିମାନଙ୍କ ପୂର୍ଣ୍ଣସହଯୋଗ କମାନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ଦାଶ୍ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ରଭାକର ସାହୁ ପରିଚାଳନା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଗଞ୍ଜାମ ଜିଲ୍ଲା ସଂଯୋଜକ କେ.ସତ୍ୟନାରାୟଣ ରେଡ୍ଡୀ ପତ୍ରିକାର ଗାରିମା ସମ୍ପର୍କରେ ଉପସ୍ଥାପନା କରିଥିଲେ । ଅତଃ- ଦକ୍ଷିଣ ଓଡ଼ିଶାର ମୁଖପତ୍ର ରୂପେ ବିଚ୍ଛିନାଞ୍ଚଳରୁ ବିବିଧ ସମସ୍ୟାକୁ ସାମ୍ନା କରି ଆସି ୧୯୧୩ ମସିହାରେ ଲୋକପ୍ରାଣ ଶଶୀଭୂଷଣ ରଥଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ୧୯୮୨ ମସିହାରେ କର୍ମବୀର ବୃନ୍ଦାବନ ନାୟକଙ୍କ ସଂସ୍ଥାପନାରେ ପୁନଃ-ପ୍ରତିଷ୍ଠା ଲାଭ କରିଥିବା ଏହି ଖବର ପ୍ରକାଶନ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ପ୍ରଚଳିତ ହୋଇ ସୁପ୍ତ ଅବସ୍ଥାରେ ପହଞ୍ଚିଥିଲା । ଅଧୂନା କୋରନା ମହାମାରୀ କାଳରେ ଲୋକଙ୍କ ନିକଟରେ ଡିଜିଟାଲ ମାଧ୍ୟମରେ ଖବର ପହଞ୍ଚାଇବା ନିମନ୍ତେ ଦୈନିକ ଆଶା ୱେବ-ମିଡ଼ିଆ ମାଧ୍ୟମରେ ଏବେ ସକ୍ରୀୟ ହୋଇଉଠିଛି । ଏହାର ପୁନଃ-ସଂସ୍କରଣ ନୂତନ ରୁପରେଖ ନେଇ ଦୈନିକଆଶାର ମୁଦ୍ରଣ ପ୍ରକାଶନ ଆତ୍ମ-ପ୍ରକାଶ ଲାଭ କରୁଥିବା ଶୁଣି ବ୍ରହ୍ମପୁର ସହରର ବୁଦ୍ଧିଜୀବୀଙ୍କ ମହଲରେ ଆଶା ଓ ଖୁସିର ଲହରୀ ଆଣିଦେଇଛି । ସାହିତ୍ୟିକ, କବି, ସଂସ୍କୃତିପ୍ରେମୀ, ସାରସ୍ୱତ ଧର୍ମୀ-ବ୍ୟକ୍ତି ବିଶେଷ୍ୟ, ସମାଜସେବୀ, ସାମ୍ବାଦିକ, ଓକିଲ, ରାଜନୈତିକଙ୍କ ମହଲରେ ନିଜସ୍ୱ ମତ ସ୍ୱରୂପ ଲୋକଙ୍କ ସ୍ୱର ସରକାରଙ୍କଠାରେ ପହଞ୍ଚିବ ବୋଲି ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି । ଏହାକୁ ଦୈନିକଆଶାର ଶୁଭେଚ୍ଛୁକ, ପ୍ରତିନିଧି, ଖବରଦାତା, ବିଜ୍ଞାପନଦାତା, ଏଜେଣ୍ଟ, ବନ୍ଧୁମାନଙ୍କୁ ସଂସ୍ଥାର ଉଦ୍ୟକ୍ତା/ମୁଖ୍ୟ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.