ଖପ୍ରାଖୋଲ ପୋଲିସର ଦୃଢ଼ ପଦକ୍ଷେପ : ୧୧ ଜଣ ଦାଦନ ଶ୍ରମିକ ଓ ୫ ଶିଶୁ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶନିବାର ସକାଳୁ ଖପ୍ରାଖୋଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କର୍ଲାବାହାଲି ଛକ ନିକଟରୁ ୫ ଜଣ ଶିଶୁ ସମେତ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଆଜି ସକାଳୁ ଖପ୍ରାଖୋଲ ପୋଲିସ ଜାଣିବାକୁ ପାଇଥିଲା ଯେ, କିଛି ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ କର୍ଲାବାହାଲି ଛକ ନିକଟରେ ରଖାଯାଇଛି । ପୋଲିସ ଖବର ପାଇ ଶୀଘ୍ର କର୍ଲାବାହାଲି ଛକ ଠାରେ ପହଞ୍ଚି ଶ୍ରମିକ ମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବାବେଳେ ସେମାନଙ୍କୁ ବେଆଇନ ଭାବେ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ପାଟଣାଗଡ଼ ଥାନା ବରବାହାଲ ଗ୍ରାମର ମନୁ ନାଗ(୩୧)କୁ ମଧ୍ୟ ଗିରଫ କରି ଥାନାକୁ ଆଣିଥିଲେ । ଥାନାକୁ ଆଣି ସମସ୍ତ ଶ୍ରମିକଙ୍କୁ ସବିଶେଷ ପଚାରିବାରୁ ସେମାନେ କହିଥିଲେ ସେମାନଙ୍କୁ ବସ ଯୋଗେ ପ୍ରଥମେ ବଲାଙ୍ଗିର ଓ ପରେ ଟ୍ରେନ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ରାଜ୍ୟ ହାଇଦ୍ରାବାଦ ସ୍ଥିତ ଇଟାଭାଟିରେ କାମ କରିବାକୁ ନିଆଯାଉଥିଲା । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୫୭ /୨୦୨୫ରେ ଏକ ମାମଲା ଋଜୁ କରି ଅଭିଯୁକ୍ତ ଦାଦନ ସର୍ଦ୍ଦାର ମନୁ ନାଗକୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି । ସମସ୍ତ ଶ୍ରମିକ ମାନଙ୍କୁ ଖପ୍ରାଖୋଲ ପୋଲିସ ନିଜ ନିଜ ଘର ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଡୁଡୁଙ୍ଗଧରା ଗ୍ରାମକୁ ନେଇ ଘରେ ଛାଡି ଦେଇଥିବା ଜଣାପଡିଛି । ଏହି ଅଭିଯାନ ମାଧ୍ୟମରେ ଖପ୍ରାଖୋଲ ପୋଲିସ ପୁନର୍ବାର ସାବ୍ୟସ୍ତ କରିଛି ଯେ, ସେମାନେ ଜନସେବା ଓ ନିରାପତ୍ତା ପ୍ରତି ସଦା ସତର୍କ ଓ ସମର୍ପିତ । ଲୋକମାନେ ପୋଲିସର ଏହି ସାହସିକ ପଦକ୍ଷେପକୁ ବହୁତ ପ୍ରଶଂସା କରୁଛନ୍ତି । ଖପ୍ରାଖୋଲ ଅଞ୍ଚଳରେ ଦାଦନ ଶ୍ରମିକ ତସ୍କରି ରୋକିବାରେ ପୋଲିସର ଏହି ପଦକ୍ଷେପ ଏକ ଦୃଢ଼ ଉଦାହରଣ ସୃଷ୍ଟି କରିଛି । ଖପ୍ରାଖୋଲ ପୋଲିସର ସଚେତନତା ଓ ସତର୍କତା ଫଳରେ ଅନେକ ଜୀବନ ରକ୍ଷାପ୍ରାପ୍ତ ହୋଇଛି । ଜନତା ମଧ୍ୟରେ ପୋଲିସ ପ୍ରତି ଆସ୍ଥା ବଢ଼ିଛି ।

Leave A Reply

Your email address will not be published.