ରାଜ୍ୟରୁ କେବେ ସରିବ ଦାଦନ ଦୁଃଖ : ପୁଣି ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଲା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କାମଧନ୍ଦା କରି ଦୁଇ ପଇସା ଉପାର୍ଜନ ପାଇଁ ଦିନକୁ ଦିନ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରି ଚାଲିଥିବା ବେଳେ ପରିବାର ପ୍ରତିପୋଷଣର ବୋଝ ନେଇ ଦାଦନ ଖଟି ଯାଇଥିବା ଗରିବ ମଣିଷ ସେଇ ନିଜ ପରିବାର ଉପରେ ସାରା ଜୀବନ ବୋଝ ହୋଇ ପଡିରହୁଛି । କେତେବେଳେ ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି ତ, ପୁଣି କେତେବେଳେ ବନ୍ଧକ ହୋଇ ମାଲିକ ପାଖରେ ରହିବାକୁ ପଡୁଛି । ଏପରିକି ବେଳେବେଳେ ବିଭିନ୍ନ ସମୟରେ ଅଘଟଣରେ ପଡି ଭିନ୍ନକ୍ଷମ ହୋଇ ଫେରୁଛି ତ, ପୁଣି କେତେବେଳେ କେହି ଶବ ହୋଇ ଫେରୁଛିତ ଆଉ କେହି କେହି ନିଖୋଜ ଅବସ୍ଥାରେ ରହିଯାଆନ୍ତି । ଯାହାର ଆସିବା ବାଟକୁ ସାରା ଜୀବନ ଅନାଇ ରହିଥାନ୍ତି ଅସହାୟ ପରିବାର । ଦାରିଦ୍ର୍ୟତାର କଷାଘାତରେ ବଞ୍ଚୁଥିବା ଗରିବ ମଣିଷ ପାଖରେ ଏସବୁ ବୁଝିବା ମାନସିକ ଯନ୍ତ୍ରଣା ସଦୃଶ ହୋଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଜାମଚୁଆଁ ଗ୍ରାମରେ । ମଙ୍ଗଳବାର ଅପରାହ୍ନ ୪ ଟାରେ ତାମିଲନାଡୁ ରାଜ୍ୟରୁ ଏକ ଆମ୍ବୁଲାନ୍ସ ଯୋଗେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଘରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ଶ୍ରମିକ ଜଣକ ଶିବ ମାଝୀଙ୍କ ପୁଅ ପୁସ୍ତମ ମାଝୀ(୨୯) ବୋଲି ଜଣାପଡ଼ିଛି । ଶିବ ମାଝୀ ନୂଆପଡ଼ା ଜିଲ୍ଲା କୋମନା ଥାନା ଅଧୀନ ପାଟପାଣି ଗ୍ରାମର ମୂଳ ବାସିନ୍ଦା ଅଟନ୍ତି । ଗତ ୮ ଫେବୃୟାରୀ ୨୦୧୩ରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ମାନେ ତାଙ୍କ ପୁତୁରା ଶିକ୍ଷକ ଚୈତନ ମାଝିଙ୍କୁ ହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପରିବାରଙ୍କୁ ମଧ୍ୟ ଧମକ ଆସିବାରୁ ସେ ଭୟଭୀତ ହୋଇ ପରିବାର ବର୍ଗଙ୍କୁ ନେଇ ଜାମଚୁଆଁ ସ୍ଥିତ ନିଜ ଶଶୁର ଘରକୁ ପଳେଇ ଆସି ରହୁଛନ୍ତି । ଏଠାରେ ସମ୍ପତି ବାଡି କିଛି ନଥିବା ହେତୁ ମଜୁରୀ କାମ କରି ଚଳୁଥିଲେ । ମୃତ ପୁଅ ପୁସ୍ତମ ତାମିଲନାଡୁ ରାଜ୍ୟ ଚେଙ୍ଗାଲପାଟୁ ଜିଲ୍ଲା ଭିଲିଅମ୍‌ବକମ୍‌ ଠାରେ ଥିବା ଏକ ଇଟାଭାଟିରେ ଜେସିପି ଗାଡ଼ି ଡ୍ରାଇଭର୍‌ ଭାବେ କାମ କରୁଥିଲେ । ସୋମବାର ଅପରାହ୍ନ ୪ଟା ବେଳେ ଜଣେ ସାଙ୍ଗଙ୍କ ସହ ଏକ ବାଇକ୍‌ ଯୋଗେ କୌଣସି କାମରେ ଯାଉଥିବା ବେଳେ ପଛ ପଟୁ ଏକ ଯାତ୍ରୀବାହୀ ବସ୍‌ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପୁସ୍ତମଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣା ବିଷୟରେ ଚେଙ୍ଗାଲପାଟୁ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ପରେ ପୁସ୍ତମଙ୍କ ମୋବାଇଲରୁ ତାଙ୍କ ବଡ ଭଉଣୀ ପଦ୍ମା ମାଝିଙ୍କୁ ଘଟଣା ବିଷୟରେ ଜଣାଇ ଶବ ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ପରେ ତାଙ୍କ ସମ୍ପର୍କୀୟ ଭାଇଙ୍କ ସହ ଆମ୍ବୁଲାନ୍ସ ଯୋଗେ ମୃତଦେହ ଘରକୁ ପଠାଇ ଥିଲେ । ଘରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ରୋଜଗାରିଆ ପୁଅକୁ ହରାଇ ପରିବାରବର୍ଗ ଭାଙ୍ଗି ପଡ଼ି ଶ୍ରମିକ ମାନଙ୍କ ପାଇଁ ରହିଥିବା ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗେଇ ଦେବା ସହ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ବର୍ତ୍ତମାନର ଠିକଣାରେ ତାଙ୍କ ପରିବାରକୁ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏଭଳି ଅନେକ ଘଟଣା ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶହ ଶହ ଦାଦନ ବାହାର ଜିଲ୍ଲା ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଉଛନ୍ତି ।

Leave A Reply

Your email address will not be published.